କଟକ : ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। କଟକ ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଚଟିଲୋ ଗଡ଼ା ଛକ ନିକଟରେ ଦୁର୍ଘଟଣା ଘଟିଛି । ୧୩ ଜଣଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ଟାଙ୍ଗୀ ଥାନା ପୋଲିସ ତଦନ୍ତ କରୁଛି । ସେହିପରି କଟକ ଗଣେଶ ଘାଟ ଅଞ୍ଚଳରେ ମଧ୍ଯ ଆଜି ଆମ ବସ୍ ଆଉ ଏକ ଦୁର୍ଘଟଣା ଘଟାଇଛି। ଜଣେ ନାବାଳିକାର ଗୋଡ଼ ଉପରେ ଚଢ଼ିଗଲା ‘ଆମ ବସ୍’। ଗୁରୁତର ନାବାଳିକା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ହେବା ସହ ସ୍ଥାନୀୟ ଲୋକଙ୍କ ଦ୍ୱାରା ବସ୍ ଅଟକ ରହିଛି।
ତେବେ ଏହା ପୂର୍ବରୁ ସେହି କଟକରେ ଜୁଲାଇ ୧୪ରେ ବାରଙ୍ଗ ବ୍ଲକ ଛକ ନିକଟରେ ଭୁବନେଶ୍ୱରରୁ କଟକ ଯାଇଥିବା ବେଳେ ବାଇକକୁ ଚାପି ଦେଇଥିଲା ଆମ ବସ । ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ ବସ ଭଙ୍ଗାରୁଜା କରିଥିଲେ । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ଯୁବକ ଜଣକ ଭୁବନେଶ୍ୱର ପଟୁ କଟକ ଅଭିମୁଖେ ଯାଉଥିଲେ । ୧୮ ନଂ ରୁଟ ଆମ ବସ୍ ଧକ୍କାରେ ଏଭଳି ଦୁର୍ଘଟଣା ହୋଇଥିଲା । ମୃତ ଯୁବକ ଜଣକ କଟକ ରାଣୀହାଟ ବେହେରା ସାହି ଅଞ୍ଚଳରେ ବୋଲି ସୂଚନା ମିଳିଥିଲା ।