ଭୁବନେଶ୍ୱର: ଆଜି ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେଉଛି । ସମଦୂରତା ରଖି ବିଜୁ ଜନତା ଦଳ ଏହି ମତଦାନରୁ ନିଜକୁ ଦୂରେଇ ରଖିଛି । ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁ ନ ଥିବା ବିଜେଡ଼ିକୁ ଏବେ କଡ଼ା ସମାଲୋଚନାର ଶୀକାର ହେବାକୁ ପଡ଼ିଛି । ବିଶେଷ କରି ବିଜେଡ଼ି ଯେବେଠାରୁ କ୍ଷମତାରୁ ଯାଇଛି ଦଳ ଏଭଳି ଦୋମୁହାଁ ନୀତି ଆପଣାଉଛି । ଯାହାକୁ କଟୁ ଶବ୍ଦରେ ସମାଲୋଚନା କରିଛନ୍ତି ତାଙ୍କର ଦଳର ବରିଷ୍ଠ ନେତା ତଥାଗତ ଶତପଥୀ । ବିଜେଡ଼ିର ଏହି ନିଷ୍ପତ୍ତିକୁ ରାଜନୈତିକ ଆତ୍ମହତ୍ୟା ବୋଲି ଅବିହିତ କରିଛନ୍ତି ତଥାଗତ ।
ତଥାଗତ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟରେ ଜାପାନର ଶବ୍ଦ ବ୍ୟବହାର କରି କହିଛନ୍ତି ହାରାକିରି- ଏଡ୍ (hara kiri-ed), ଯାହାର ଅର୍ଥ ହେଉଛି ନିଜକୁ ନିଜେ ଶେଷ କରିଦେବା । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ିରୁ ମତଦାନରୁ ବିରତ ରହିବା ଅର୍ଥ ନିଜକୁ ନିଜେ ଶେଷ କରିବା । ଯାହା ଅଳ୍ପ କିଛି ବାକି ଥିବା ସେତକ ବି ଗଲା ବୋଲି ତଥାଗତ କହିଛନ୍ତି ।
ତେବେ ବିଜେଡ଼ିର ଏହା ପ୍ରଥମ ଘଟଣା ନୁହେଁ । ବହୁ ଚର୍ଚ୍ଚିତ ୱାକଫ୍ ବିଲରେ ମଧ୍ୟ ବିଜେଡ଼ି ଦୋମୁହାଁ ନୀତି ଆପଣାଇଥିଲା । ଦଳ କିଛି ରାଜ୍ୟସଭା ସଦସ୍ୟ ବିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ କେବଳ ମୁନ୍ନା ଖାଁ ବିଲ୍ ବିପକ୍ଷରେ ଭୋଟ୍ ଦେଇଥିଲେ । ଆଉ କିଛି ସଦସ୍ୟ ବିଲକୁଲ ଭୋଟ ଦେଇନଥିଲେ । ଯାହାକୁ ନେଇ ଅନେକ ତୁମ୍ବି ତୋଫାନ ହୋଇଥିଲା ।