ଭୁୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ଦୂରେଇ ରହିବ ବିଜେଡି । ଏ ନେଇ ସୋମବାର ଦଳର ସାତ ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା ପରେ ଏମିତି ନିଷ୍ପତ୍ତି ନେଇଛନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ । ଆଉ ଦଳ ଏମିତି ନିଷ୍ପତ୍ତି ନେବା ପଛର କାରଣ ସମଦୂରତା ବୋଲି ଦର୍ଶାଇଛି ।
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନରୁ ବିଜେଡି ବିରତ ରହିବ । ଦଳର ସଭାପତି ସବୁ ଦିଗକୁ ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି । ଆମେ ସମଦୂରତା ରକ୍ଷା କରି ଭୋଟିଂରୁ ବିରତ ରହିବୁ । ଦଳର ବରିଷ୍ଠ ନେତା ଏବଂ ସଂସଦୀୟ ବ୍ୟାପାର କମିଟି ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଆମେ ଏନଡିଏ ଏବଂ ଇଣ୍ଡିଆ ବ୍ଲକ ଠାରୁ ସମଦୂତତା ରଖିଛୁ । ରାଜ୍ୟସଭାରେ ବିଜେଡିର ସାତ ସାଂସଦ ଥିବା ବେଳେ ଲୋକସଭାରେ ଦଳ ପୋଛି ହୋଇ ଯାଇଛି ।
ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ, ବିଜେଡି ବିରତି ରହିବା ନିଷ୍ପତ୍ତି ନେଇ ପରୋକ୍ଷରେ ଏନଡିଏକୁ ସମର୍ଥନ କରିଛନ୍ତି । ନବୀନ ପଟ୍ଟନାୟକ ସର୍ବଦା ବିଜେପିକୁ ସମର୍ଥନ ଦେଇ ଆସିଛନ୍ତି । ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରତି ନିର୍ବାଚନ ହେବ । ଏନଡିଏ ପକ୍ଷରୁ ପ୍ରାର୍ଥୀ ସିପି ରାଧାକୃଷ୍ଣନ ଥିବା ବେଳେ ବିରୋଧୀ ଇଣ୍ଡିଆରୁ ପ୍ରାର୍ଥୀ ଅଛନ୍ତି ପୂର୍ବତନ ସୁପ୍ରିମକୋର୍ଟ ଜଜ ବି ସୁଦର୍ଶନ ରେଡ୍ଡୀ ।
ସୂଚନାଯୋଗ୍ୟ, ସଂପ୍ରତି ନବୀନ ପଟ୍ଟନାୟକ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ରଣନୀତି କଣ ରହିବ ଏବଂ ଦଳ କାହାକୁ ସମର୍ଥନ କରିବ ନା ବିରତ ରହିବ ସେ ନେଇ ସାତ ରାଜ୍ୟସଭା ସାଂସଦଙ୍କ ସହ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ଆଉ ଏହା ହିଁ ନିଷ୍କର୍ସ ବାହାରିଛି ଯେ, ବିଜେଡି ଭୋଟିଂରୁ ବିରତ ରହିବ । ଏମିତି ଅନେକ ବିଧେୟକ ରହିଛି ଯେଉଁଥିରେ ବିଜେଡି ସର୍ବଦା ଏନଡିଏ ସମର୍ଥନରେ ରହି ଆସିଛି । ଆଉ ଏବେ ଗାଦିଚ୍ୟୁତ ହେବା ପରେ ବି ଦଳ ନିଜର ପୁରୁଣା ରଣନୀତି ବଜାୟ ରଖିଛି ।