ଭୁୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଚାରି ଦିନିଆ ଦିଲ୍ଲୀରେ ଗସ୍ତରେ ଯାଇଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତାଙ୍କର ଦିଲ୍ଲୀ ଯିବା ଗସ୍ତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ତାଙ୍କର ଏହି ଗସ୍ତକୁ ଉପରାଷ୍ଟ୍ରପତି ନିର୍ବାଚନ ସହ ଯୋଡିକି ଦେଖା ଯାଉଛି । କାରଣ ବିଜେଡି କାହାକୁ ଭୋଟ୍ ଦେବ ତାହା ସ୍ପଷ୍ଟ ହୋଇ ପାରୁନି କି ଅଙ୍କ ବି ଛିଣ୍ଡୁନି ।
ତେବେ ଦିଲ୍ଲୀରେ ନବୀନ ପଟ୍ଟନାୟକ ନିଜ ପାର୍ଟିର ସାତ ରାଜ୍ୟସଭା ସାଂସଦଙ୍କ ସହ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସମର୍ଥନ ଦେବ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ନେବେ । ଶନିବାର ନବୀନ ନିବାସରେ ସଂସଦ୍ୟୀ ବ୍ୟାପାର କମିଟି(ପିଏସି) ବୈଠକ ବସିଥିଲା । ହେଲେ ସମାଧାନାର ରାସ୍ତା ବାହାରି ପାରି ନ ଥିଲା । ତେଣୁ ଏବେ ଦିଲ୍ଲୀରେ ଅଙ୍କ ସଜାଡିବେ ନବୀନ ପଟ୍ଟନାୟକ ।
ବିଜେଡି କାହାକୁ ସମର୍ଥନ ଦେବ ଏନଡିଏ ପ୍ରାର୍ଥୀ ନା ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ? ସେ ପ୍ରଶ୍ନ ଏବେ ରାଜ୍ୟଠୁ ନେଇ ଜାତୀୟସ୍ତରୀୟ ରାଜନୀତିରେ ଉଙ୍କି ମାରିଛି । କାରଣ ବିଜେଡି ୨୦୧୪ ପରଠୁ ସର୍ବଦା ବିଜେପି ସହ ରହି ଆସିଛି । ୨୦୨୪ ପର୍ଯ୍ୟନ୍ତ ବିଜେଡି ରାଜ୍ୟର ଶାସନ ଗାଦିରେ ଥିଲା । ତେଣୁ ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସହ ଭଲ ସଂପର୍କ ରଖିବା ଏବଂ ବିଧେୟକରେ ସମର୍ଥନ ଦେବା ରଣନୀତି ବୁଝା ପଡୁଛି ।
କିନ୍ତୁ ଏବେ ବିଜେଡି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ । ତେଣୁ ଦଳ ଯଦି ଏବେ ବି ବିଜେପି ତଥା ଏନଡିଏ ପ୍ରତି ନରମ ଆଭିମୁଖ୍ୟ ଆପଣେଇବ ଏବଂ ସମର୍ଥନରେ ଭୋଟ୍ ଦେବ ତେବେ ତାହା ରାଜ୍ୟରେ ପାର୍ଟି ଉପରେ ନକରାତ୍ମକ ପ୍ରଭାବ ପକାଇପାରେ । ଏମିତି ହେଲେ ଦଳ ରାଜ୍ୟରୁ ଆସ୍ଥା ହରାଇବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ।
ଏହା ପୂର୍ବରୁ ୱକଫ ବିଲ୍ ଉପରେ ଭୋଟିଂ ପାଇଁ ବିଜେଡି ନିଜର ସାଂସଦଙ୍କ ବିବେକ ଉପରେ ଛାଡିଥିଲା । ଏହାକୁ ନେଇ ବେଶ ଅପବାଦ ସହିଥିଲା ଦଳ । ତେଣୁ ଏହି ବିବେକାନୁମୋଦିତ ଭୋଟ୍ କଥାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ । କାରଣ ବିଜେଡି ଏକ ବିଚିତ୍ର ଦଳ ଏବଂ ତାର ମୁଖିଆ ମଧ୍ୟ ବଡ ବିଚିତ୍ର ରାଜନୈତିକ ବ୍ୟକ୍ତି ।
ସେପଟେ ବିଜେପି ରାଜ୍ୟ ସଭାପତି ଗୋଟିଏ ଦିନ ବିରତି ପରେ ଶନିବାର ବିଳମ୍ବିତ ରାତିରେ ପୁଣି ଦିଲ୍ଲୀ ଯାଇଛନ୍ତି। କାଲି ମଧ୍ୟ ଦିଲ୍ଲୀ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ତେଣୁ ଏହା ଏକ ସଂଯୋଗ ନାଁ ରାଜ୍ୟ ରାଜନୀତିରେ କିଛି ଭିନ୍ନ ହେବାକୁ ଯାଉଛି ତାକୁ ନେଇ ଚର୍ଚ୍ଚା ହେଉଛି । କାରଣ ଉପରୁ ଓଡିଶାରେ ବିଜେପି ଓ ବିଜେଡି ପରସ୍ପରର ବିରୋଧୀ ଦେଖା ଯାଉଥିଲେ ମଧ୍ୟ ଭିତିରି ଏବେ ବି ସଂପର୍କ ଥିବା ରାଜନୈତିକ ସମୀକ୍ଷକ କହିଛନ୍ତି ।