ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏକ ସରକାରୀ ପଶୁ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇ ଏକ ବୁଲା ଗାଈ ପେଟରୁ ପ୍ରାୟ ୪୦ କିଲୋଗ୍ରାମ ପ୍ଲାଷ୍ଟିକ୍ ଜିନିଷ ବାହାର କରାଯାଇଛି। ସୋମବାର ପ୍ରାୟ ତିନି ଘଣ୍ଟା ଅସ୍ତ୍ରୋପଚାର କରାଯିବା ପରେ ଗାଈର ଅବସ୍ଥା ସ୍ଥିର ଅଛି। ଏହି ଗାଈକୁ ଏକ ସପ୍ତାହ ପର୍ଯ୍ୟନ୍ତ ଡାକ୍ତରଖାନାରେ ରଖାଯିବ ବୋଲି ଗଞ୍ଜାମର ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧୀକାର ଅଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।
ଉକ୍ତ ଅସ୍ତ୍ରୋପଚାର କରିଥିବା ଦଳର ନେତୃତ୍ୱ ନେଇଥିବା ସତ୍ୟ ନାରାୟଣ କର କହିଛନ୍ତି, ପ୍ଲାଷ୍ଟିକ୍ ବ୍ୟାଗରେ ଫିଙ୍ଗାଯାଉଥିବା ଖାଦ୍ୟକୁ ବୁଲା ଗାଈ ଗୋରୁମାନେ ଖାଇବା ସହିତ ପ୍ଲାଷ୍ଟିକ୍ ସାମଗ୍ରୀ ମଧ୍ୟ ଖାଇଥାନ୍ତି। ଫଳରେ ସେମାନେ ନାନା ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ବୁଲା ଗାଈ ଗୋରୁ ଖାଇ ସାରିବା ପରେ ପ୍ଲାଷ୍ଟିକ୍ ସାମଗ୍ରୀ ସେମାନଙ୍କର ଅନ୍ତନଳୀ ଅବରୋଧ କରିଥାନ୍ତି। ଯଦି ବହୁ ସମୟ ପର୍ଯ୍ୟନ୍ତ ଏହା ଜଣାନପଡେ଼ ପଶୁମାନଙ୍କର କିଛି ବି ଅଘଟଣ ଘଟିପାରେ।
ଗାଈଟି ଯନ୍ତ୍ରଣାରେ ପେଟକୁ ଲାତ ମାରୁଥିଲା। ଏଥିପାଇଁ ଗାଈର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ କ୍ଲିନିକାଲ୍ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ଜଣାପଡ଼ିଲା ଯେ, ଗାଈ ପେଟରେ ପ୍ଲାଷ୍ଟିକ୍ ଆବର୍ଜନା ଜମା ହୋଇଥିଲା, ଯାହା ଅସ୍ତ୍ରୋପଚାର ମାଧ୍ୟମରେ ସଫଳ ହୋଇଛି।
ସୂଚନାଯୋଗ୍ୟ, ଦୁଇ ଦିନ ଧରି ଗାଈର ଚିକିତ୍ସା କରିବା ପରେ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଆସିନଥିଲା। ସେଥିପାଇଁ ରବିବାର ହିଲପାଟନା ଅଞ୍ଚଳରୁ ଏକ ପଶୁ ଆମ୍ବୁଲାନ୍ସରେ ଗାଈକୁ ପଶୁଚିକିତ୍ସା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।