ପୁରୀ ଜିଲା ଡେଲାଙ୍ଗ ବ୍ଲକରେ ପୁଣି ଦେଖାଦେଇଛି କୁକୁଡା ମଡ଼କ (ବାର୍ଡ ଫ୍ଲୁ)। ଗତ ୭ ଦିନ ମଧ୍ୟରେ ବ୍ଲକର ବିଭିନ୍ନ ଫାର୍ମ ଗୁଡ଼ିକରୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ବ କୁକୁଡ଼ା ମରିଛନ୍ତି। ବ୍ଲକର ଆଙ୍କୁଲା, ଶିଶୁଆପଡ଼ା, ଗୋଡ଼ିପୁଟ ମାଟିଆପଡ଼ା, ବେଗୁନିଆପଡ଼ା, ସିଂହବ୍ରହ୍ମପୁର, ଚାଇଁପୁର, ଗଡ଼ମୋଟରୀ ଆଦି ଅଞ୍ଚଳରେ ଥିବା ୧୫ରୁ ଊର୍ଦ୍ଧ୍ବ ଫାର୍ମ ଗୁଡ଼ିକରୁ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରିଯିବାରୁ ଚାଷୀଙ୍କର ଲକ୍ଷଲକ୍ଷ ଟଙ୍କା କ୍ଷତି ହୋଇଛି। ଏହା ବାର୍ଡ ଫ୍ଲୁ (ଏଭିଏନ୍ ଇନ୍ଫ୍ଲୁଏଞ୍ଜା) ବୋଲି ସନ୍ଦେହ କରାଯାଉ ଥିବାବେଳେ ଅନେକ ଚାଷୀ ଏହା କୌଣସି ଅଜଣା ସଂକ୍ରମିତ ରୋଗ ବୋଲି କହିଛନ୍ତି।
ଗତ ବର୍ଷ ବାର୍ଡ ଫ୍ଲୁ ଯୋଗୁ ବ୍ଲକ୍ର ବିଭିନ୍ନ ଅଞ୍ଚଳରେ କୁକୁଡ଼ା ମଡ଼କ ପଡ଼ିଥିଲା । ଲକ୍ଷାଧିକ ବ୍ରଏଲର କୁକୁଡ଼ା ମରିଯାଇଥିବା ବେଳେ ଚାଷୀଙ୍କର ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିଲା । ଚଳିତ ବର୍ଷ ପୁନର୍ବାର କୁକୁଡ଼ା ମଡ଼କ ପଡିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ବ୍ଲକରେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରିବା ପରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଅଧିକାରୀ ଯାଇ ମୃତ କୁକୁଡ଼ାଙ୍କ ସ୍ୱାବ୍ ନମୁନା ଓ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି। କମ୍ପାନୀ କିମ୍ବା ପଶୁଚିକିତ୍ସା ବିଭାଗ ପକ୍ଷରୁ ମୃତ କୁକୁଡ଼ା ଗୁଡ଼ିକୁ ଉଠାଇବା ଲାଗି କୌଣସି ବନ୍ଦୋବସ୍ତ କରାଯାଉ ନ ଥିବାରୁ ଚାଷୀ ମୃତ କୁକୁଡ଼ା ଗୁଡ଼ିକୁ କେନାଲ, ନଦୀ ନାଳରେ ଫୋପାଡ଼ି ଦେଉଛନ୍ତି ଫଳରେ ସଂକ୍ରମିତ କୁକୁଡ଼ାଙ୍କ ଶରୀରରୁ ଜୀବାଣୁ ପାଣିରେ ମିଶିବା ସହିତ ପାଣିକୁ ବିଷାକ୍ତ କରୁଛି। ଏହି ପାଣିକୁ ବ୍ୟବହାର କରୁଥିବା ପଶୁ, ପକ୍ଷୀ ଓ ସାଧାରଣ ଲୋକଙ୍କ ଶରୀର ଅସୁସ୍ଥ ହେବା ଆଶଙ୍କା ଦେଖାଦେଇଛି।
କୁକୁଡା ମଡ଼କ ଘଟଣା ସାମ୍ନାକୁ ଆସିବା ପରେ ଡେଲାଙ୍ଗ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରୀତିତୋଷ ମହାପାତ୍ରଙ୍କ ସମେତ ଅତିରିକ୍ତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ସତ୍ୟବ୍ରତ ଦାଶ, ଡା. ରାଜେଶ ସାହୁ ପ୍ରମୁଖ ଆଙ୍କୁଲା ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ କୁକୁଡ଼ା ଫାର୍ମରେ ପହଞ୍ଚି ମୃତ କୁକୁଡାଙ୍କର ବିଭିନ୍ନ ନମୁନା ସଂଗ୍ରହ କରି ପରୀକ୍ଷାଗାର ପଠାଇଛନ୍ତି। ଘଟଣା ସମ୍ପର୍କରେ ଡେଲାଙ୍ଗ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ମହାପାତ୍ର କହିଛନ୍ତି, ସେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଜିଲା ମୁଖ୍ୟ କାର୍ଯ୍ୟାଳୟକୁ ଜଣାଇଥିଲେ। ମୁଖ୍ୟ କାର୍ଯ୍ୟାଳୟରୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତ କୁକୁଡ଼ାଙ୍କ ନମୁନା ସଂଗ୍ରହ କରିବା ସହ ପରୀକ୍ଷା ନିମନ୍ତେ ଭୋପାଳସ୍ଥିତ ମୁଖ୍ୟ ପରୀକ୍ଷାଗାରକୁ ପଠାଇଛନ୍ତି।
କୁକୁଡ଼ାଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖାଦେଉଥିବା ଯୋଗୁଁ ପ୍ରାଥମିକ ତଦନ୍ତରୁ ଏହି ରୋଗକୁ ଚିହ୍ନଟ କରାଯାଇ ପାରିନାହିଁ। ନମୁନା ପରୀକ୍ଷା ହୋଇ ରିପୋର୍ଟ ଆସିବାପରେ ପଦକ୍ଷେପ ଗ୍ରହଣ କରାଯିବ। ବିଭାଗ ପକ୍ଷରୁ ବ୍ଲକର ସମସ୍ତ କୁକୁଡ଼ାଫାର୍ମରେ ବିଶୋଧନ କାର୍ଯ୍ୟ କରାଯାଇଛି। ଏଥିସହ ମୃତ କୁକୁଡ଼ାଙ୍କୁ ନଦୀନାଳ ତଥା ଚଳପ୍ରଚଳ ସ୍ଥାନ ଗୁଡ଼ିକରେ ନ ଫୋପାଡ଼ି ଖାଲିପଡ଼ିଥିବା ସ୍ଥାନରେ ଗାତ କରି ଚୂନ ଓ ବ୍ଲିଚିଂ ପକାଇ ପୋତିବା ଦ୍ୱାରା ସଂକ୍ରମଣକୁ କିଛିମାତ୍ରାରେ ରୋକାଯାଇ ପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।