ସମ୍ବଲପୁର: ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି ଅବକାରୀ ଟିମ୍ ହାତରେ ଗଞ୍ଜେଇ ବଦଳରେ ଲାଗିଛି ବିପୁଳ ପରିମାଣରେ ରୁପା ଇଟା । ସମ୍ବଲପୁର ଅବକାରୀ ଟିମ୍ ଏକ କାରରୁ ଏକ କୁଇଣ୍ଟାଲ୍ ୧୦ କିଲୋଗ୍ରାମ ରୁପା ଇଟା ଏବଂ କଏନ୍ ଜବତ କରିଛି । ରୁପା ଇଟା ଚାଲାଣ ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି । ସେମାନେ ହେଲେ ଚନ୍ଦ୍ରକାନ୍ତ ପଟେଲ୍ ଓ ସଞ୍ଜୟ ପଟେଲ୍ । ଏ ନେଇ ସମ୍ବଲପୁର ଅବକାରୀ ଉପ-ଅଧିକ୍ଷକ ଅସିତ ମଲ୍ଲିକ ସୂଚନା ଦେଇଛନ୍ତି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଆଜି ସକାଳେ ସମ୍ବଲପୁର ଅବକାରୀ ପୋଲିସ ଟିମ୍ ରେଙ୍ଗାଲୀ ତହସିଲ କାର୍ଯ୍ୟାଳୟ ନିକଟରେ ଗଞ୍ଜେଇ ଯାଞ୍ଚ କରୁଥିଲା । ଏହି ସମୟରେ ମହାରାଷ୍ଟ୍ର ନମ୍ବର ଥିବା ଏକ କାରକୁ ଅଟକାଇଥିଲା । ଯାଞ୍ଚବେଳେ କାରର ଏକ ସିକ୍ରେଟ୍ ଚାମ୍ବରରେ ପୁଳା ପୁଳା ରୁପା ଇଟା ଦେଖିବାକୁ ପାଇଥିଲା । ଏହା ପରେ ଅବକାରୀ ଟିମ୍ ଉକ୍ତ ରୁପାକୁ ଜବତ କରିଥିଲା । ଯାହାର ଓଜନ ଏକ କୁଇଣ୍ଟାଲ ୧୦ କିଗ୍ରା ହୋଇଥିବାବେଳେ ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ଅବକାରୀ ଟିମ୍ ଚନ୍ଦ୍ରକାନ୍ତ ପଟେଲ ଓ ସଞ୍ଜୟ ପଟେଲଙ୍କୁ ଅଟକ ରଖି ପଚରାଉଚରା କରିଛି । ଜବତ ରୁପା ଇଟା ମହାରାଷ୍ଟ୍ର ନାସିକରୁ ଝାଡ଼ଖଣ୍ଡ ରାଞ୍ଚିକୁ ଯାଉଥିଲା ବୋଲି ଜଣାପଡ଼ିଛି । ସେମାନେ ନାସିକରୁ ସମ୍ବଲପୁର, ସମ୍ବଲପୁରରୁ ରାୟପୁର ଏବଂ ସେଠାରୁ ରାଞ୍ଚିକୁ ଯାଇଥାଆନ୍ତେ ବୋଲି କହିଛନ୍ତି । ତେବେ ଅବକାରୀ ଟିମ୍ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ ପାଇଁ ମାଗିଥିବାବେଳେ ସେମାନେ କୌଣସି କାଗଜପତ୍ର ଦେଖାଇ ପାରି ନାହାଁନ୍ତି । ଚୋରି ଭୟରେ ରୁପାକୁ ସିକ୍ରେଟ୍ ଚାମ୍ବରରେ ନେଉଥିଲେ ବୋଲି କହିଛନ୍ତି । ତେବେ ଅବକାରୀ ଟିମ୍ ଏ ନେଇ ରେଙ୍ଗାଲୀ ପୋଲିସକୁ ଖବର ଦେଇଥିବାବେଳେ ସେମାନଙ୍କୁ ଜିଏସଟି କାର୍ଯ୍ୟାଳୟକୁ ନିଆଯାଉଥିବା ଜଣାପଡ଼ିଛି ।