ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଯେତେବେଳେ ଆନ୍ଦୋଳନ ମୁଣ୍ଡ ଟେକେ ସେତେବେଳେ ରାଜ୍ୟ କଂଗ୍ରେସ ଆନ୍ଦୋଳନକାରୀଙ୍କ ସହିତ ତାଳ ସହ ତାଳ ମିଳାଏ । କିନ୍ତୁ ଏଥର ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କଂଗ୍ରେସକୁ ହରଡ଼ଘଣାରେ ପକାଇଦେଇଛି । ଆସନ୍ତାକାଲି ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଥୁବାବେଳେ ସଭାରେ ଦଳୀୟ କର୍ମୀ କିପରି ଯୋଗ ଦେବେ ତାକୁ ନେଇ ଚିନ୍ତାରେ ପଡ଼ିଛି ଦଳ । ଏଥିପାଇଁ ରାଜ୍ୟ ସରକାରଙ୍କ ଟାର୍ଗେଟକୁ କରିଥିବାବେଳେ କଂଗ୍ରେସ ଗାଡ଼ିକୁ ନ ଅଟକାଇବାକୁ ନେହୁରା ହୋଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।
କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭକ୍ତ ଦାସ, ସରକାରଙ୍କର ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି । ଆସନ୍ତାକାଲି ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି । କଂଗ୍ରେସର ମହା ସମାବେଶ ଅନୁଷ୍ଠିତ ହେବ । ଏଥିରେ ସାରା ରାଜ୍ୟରୁ କର୍ମୀମାନେ ଆସିବେ । ତେଣୁ ସରକାର ଜାଣିଶୁଣି ସମାବେଶକୁ ଭଣ୍ଡୁର କରିବାକୁ ଡ୍ରାଇଭର ସଂଘର ସମସ୍ୟାକୁ ସମାଧାନ କରୁ ନାହାଁନ୍ତି । ଆଜି ସନ୍ଧ୍ୟା ସୁଧା ତୁରନ୍ତ ସମସ୍ୟାର ସମାଧାନ କରିବାକୁ ସେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ଅନ୍ୟପକ୍ଷରେ ଡ୍ରାଇଭର ମହାସଂଘକୁ କହିଛନ୍ତି ଯେ ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ଆମେ ସମର୍ଥନ ଜଣାଇଛୁ । କିନ୍ତୁ ଆସନ୍ତାକାଲି କୌଣସି କଂଗ୍ରେସ ଗାଡ଼ିକୁ ନ ଅଟକାଇବାକୁ ସେ ନିବେଦନ କରିଛନ୍ତି । ଆସନ୍ତାକାଲି ପାଇଁ ସମସ୍ତ ଗାଡ଼ିକୁ ଚଲାଇବାକୁ ନିର୍ଦ୍ଦେଶ ଦେବାକୁ ସେ ସଂଘକୁ କହିଛନ୍ତି । ଏଥିପାଇଁ ସନ୍ଧ୍ୟା ସୁଦ୍ଧା ଘୋଷଣା କରିବାକୁ ଅନୁରୋଧ କରିଛନ୍ତି । ଶନିବାରଠାରୁ ପୁଣି କଂଗ୍ରେସ ସେମାନଙ୍କ ଆନ୍ଦୋଳନରେ ସାମିଲ ହେବ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟ ସରକାର ଜାଣିଶୁଣି ଲୋକଙ୍କୁ ହଇରାଣ କରିବାକୁ ଚାହୁଁଛନ୍ତି ଏବଂ କଂଗ୍ରେସକୁ ବିଫଳ କରିବାକୁ ଚାହୁଁଥିବା କହିଛନ୍ତି ଭକ୍ତ ଦାସ ।
ଅନ୍ୟପକ୍ଷରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ ଆଜି ରାତି ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବ । ରାଜ୍ୟ ସରକାର ପ୍ରାୟତଃ ଡ୍ରାଇଭର ସଂଘର ଦାବିକୁ ମାନିବାକୁ ପ୍ରସ୍ତୁତ ଅଛନ୍ତି ।