ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସ୍ୱର୍ଗୀୟ ପିତା ଦାଉଲାଲ ବୈଷ୍ଣବଙ୍କ ପ୍ରାର୍ଥନା ସଭାରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଶୋକ ସନ୍ତପ୍ତ ପରିବାରବର୍ଗକୁ ସବେଦନା ଜଣାଇବା ସହିତ ଦାଉଲାଲଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ମଙ୍ଗଳବାର ଦାଉଲାଲ ବୈଷ୍ଣବଙ୍କ ୮୧ ବର୍ଷ ବୟସରେ ପରଲୋକ ଘଟିଥିଲା । ରାଜସ୍ଥାନ ଯୋଧପୁରସ୍ଥିତ ଏମ୍ସ ହସ୍ପିଟାଲରେ ଦାଉଲାଲ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ସେ ଦୀର୍ଘ ଦିନ ଧରି ଶ୍ୱାସକ୍ରିୟା ସମସ୍ୟାରେ ପୀଡ଼ିତ ଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଦାଉଲାଲ ପାଲି ଜିଲ୍ଲାର ଜୀବନ୍ତକଲା ଗ୍ରାମର ମୂଳ ବାସିନ୍ଦା ଥିଲେ । କିନ୍ତୁ ସେ ପରିବାର ସହିତ ଯୋଧପୁରରେ ରହୁଥିଲେ । ସେ ଗ୍ରାମ ସରପଞ୍ଚ ସହିତ ଓକିଲ ଏବଂ ଟିକସ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି ।