ଭୁବନେଶ୍ୱର: ଆୟୋଜିତ ‘ସମ୍ବିଧାନ ବଞ୍ଚାଅ’ ରାଲି ପ୍ରକୃତରେ କଂଗ୍ରେସର ରାଜକୁମାରଙ୍କ ଆଉ ଏକ ରାଜନୈତିକ ପର୍ଯ୍ୟଟନ ଥିଲା । ଏହା 'ସମ୍ବିଧାନ ବଞ୍ଚାଅ' ନୁହେଁ ବରଂ 'ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ବଞ୍ଚାଅ'ର ସମାବେଶ ଥିଲା । ଓଡ଼ିଶାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ କହିଛନ୍ତି, ଭୁବନେଶ୍ୱରରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ଆୟୋଜିତ ‘ସମ୍ବିଧାନ ବଞ୍ଚାଅ’ ରାଲି ପ୍ରକୃତରେ କଂଗ୍ରେସର ରାଜକୁମାରଙ୍କ ଆଉ ଏକ ରାଜନୈତିକ ପର୍ଯ୍ୟଟନ ଥିଲା । ଏହା 'ସମ୍ବିଧାନ ବଞ୍ଚାଅ' ନୁହେଁ ବରଂ 'ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ବଞ୍ଚାଅ'ର ସମାବେଶ ଥିଲା । ଓଡ଼ିଶାରେ ବିଜେପି ସରକାର ପ୍ରତି ଲୋକଙ୍କ ଅତୁଟ ବିଶ୍ୱାସ କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି କରିଛି । ଓଡ଼ିଶାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନଥିବା କହିଛନ୍ତି ଧର୍ମେନ୍ଦ୍ର ।
ଧର୍ମେନ୍ଦ୍ର ଆହୁରି ଉଲ୍ଲେଖ କରିଛନ୍ତି, ରାଜ୍ୟର ଗରିବ, ଦଳିତ, ଜନଜାତି, ଚାଷୀ ଏବଂ ଶ୍ରମିକମାନେ ଦଶନ୍ଧି ପୂର୍ବରୁ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏପରି ପରିସ୍ଥିତିରେ, ଓଡ଼ିଶାର ଗରିବଙ୍କ କଲ୍ୟାଣ ବିଷୟରେ ରାହୁଲ ଗାନ୍ଧୀଙ୍କ କଥା ପ୍ରତାରଣା ବ୍ୟତୀତ ଆଉ କିଛି ନୁହେଁ । କଂଗ୍ରେସ ସର୍ବଦା ଗରିବ ଏବଂ ଦୁର୍ବଳ ବର୍ଗର ଅଧିକାରକୁ ଅଣଦେଖା କରିଆସିଛି । କଂଗ୍ରେସ ସରକାର ଦ୍ୱାରା ଦିଲ୍ଲୀରୁ ପଠାଯାଉଥିବା ଟଙ୍କା ମଧ୍ୟସ୍ଥିଙ୍କ ଦ୍ୱାରା ଲୁଟ କରାଯାଉଥିଲା । ଏସସି, ଏସଟି ଏବଂ ପଛୁଆ ବର୍ଗର ଅଧିକାର ଅପେକ୍ଷା ସେମାନଙ୍କ ଭୋଟ୍ ବ୍ୟାଙ୍କକୁ କଂଗ୍ରେସ ଗୁରୁତ୍ୱ ଦେଉଥିଲା । ସ୍ପଷ୍ଟ ଶବ୍ଦରେ କୁହାଯାଇପାରିବ ଯେ ଗରିବ ଲୋକଙ୍କ ହକ୍ ଏବଂ ଜନଜାତିଙ୍କ ଜମି ସେବେ ପର୍ଯ୍ୟନ୍ତ ସୁରକ୍ଷିତ, ଯେଉଁ ପର୍ଯ୍ୟନ୍ତ କଂଗ୍ରେସ କ୍ଷମତାକୁ ଆସିନାହିଁ ।
ସେହିପରି ମହାରାଷ୍ଟ୍ର ଏବଂ ହରିୟାଣା ଭଳି ରାଜ୍ୟରେ କଂଗ୍ରେସ ଦଳ ବଡ ପରାଜୟର ସାମ୍ନା କରିଛି । ଏହା ପରେ ବି ଲୋକମତକୁ ସମ୍ମାନ ନ ଦେଇ ରାହୁଲ ଗାନ୍ଧୀ ଏବଂ ଖଡଗେ ସେମାନଙ୍କ ପରାଜୟ ପାଇଁ ନିର୍ବାଚନ କମିଶନ ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଦାୟୀ କରୁଛନ୍ତି । ଗଣତନ୍ତ୍ରର କଣ୍ଠରୋଧ ସହ ସମ୍ବିଧାନକୁ କ୍ଷୁର୍ଣ୍ଣ କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିବା ସେହି କଂଗ୍ରେସ ଦଳ ସମ୍ବିଧାନକୁ ବଞ୍ଚାଇବାର ଅପପ୍ରଚାର କରୁଛି, ଯାହା ଆଶ୍ଚର୍ଯ୍ୟର ବିଷୟ ।
କେନ୍ଦ୍ର ମନ୍ତ୍ରୀ କଟାକ୍ଷ କରି କହିଛନ୍ତି, ରାହୁଲ ଗାନ୍ଧୀ “ଚାଲି ନ ଜାଣି ବାଟର ଦୋଷ” ଭଳି କଥା କହୁଛନ୍ତି । ବାରମ୍ବାର ନିର୍ବାଚନ ପରାଜୟ ପରେ ବିହାରର ଆଗାମୀ ନିର୍ବାଚନରେ ପରାଜୟକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ପୁଣି ଥରେ 'ଭୋଟ ଚୋରି'ର ନୂଆ ସ୍ଲୋଗାନ ଆରମ୍ଭ କରିଛି । ଓଡ଼ିଶା ସମେତ ଦେଶର ଜନତା ଏବେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରତ୍ୟେକ ଚାଲ୍ ଏବଂ ଛଳନାକୁ ଚିହ୍ନି ପାରିଛନ୍ତି । ଭବିଷ୍ୟତରେ ମଧ୍ୟ ପ୍ରତ୍ୟେକ ନିର୍ବାଚନରେ ଲୋକମାନେ ଏପରି ଜନବିରୋଧୀ ଏବଂ ସମ୍ବିଧାନ ବିରୋଧୀ ଲୋକଙ୍କୁ ଉଚିତ ଜବାବ ଦେବେ ବୋଲି ସେ ମତ ପ୍ରକାଶ କରିଛନ୍ତି ।