ପୁରୀ: ମହିଳାଙ୍କର ସଶକ୍ତିକରଣ କଥା ହେଉ ଅବା କୃଷିର ଭିତ୍ତିଭୂମି ବିକାଶ, ସବୁ କ୍ଷେତ୍ରରେ ଓଡ଼ିଶା ସାରା ବିଶ୍ୱରେ ଦୃଷ୍ଟାନ୍ତ ହେବ ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ।
ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ପୁରୀର ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଶୁଭାଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହି ଜାତୀୟ କାର୍ଯ୍ୟକ୍ରମକୁ "ଏକ୍ ପେଡ୍ ମା କେ ନାମ୍" ଅଭିଯାନ ଆଧାରରେ ଗଛ ଲଗାଇ ଉଦ୍ଘାଟନ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଚୌହ୍ୱାନ କହିଛନ୍ତି, ଓଡ଼ିଶା ଆଜି ସାରା ଭାରତ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ସରକାର ଚାଷୀଙ୍କଠାରୁ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କାରେ କ୍ରୟ କରୁଛନ୍ତି, ଯାହାକି ଧାନର ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ୮୦୦ ଟଙ୍କା ଅଧିକ । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କାରଣ ଚାଷୀର ଆୟ ବଢିଲେ ଦେଶର ଆୟ ବଢେ । କେବଳ ଚାଷ କ୍ଷେତ୍ର ନୁହେଁ, ସୁଭଦ୍ରା ଭଳି ଯୋଜନା ଯୋଗୁଁ ଆଜି ରାଜ୍ୟର ଅନେକ ମହିଳା ଲାଭାନ୍ୱିତ। ମହିଳାଙ୍କର ସଶକ୍ତିକରଣ କଥା ହେଉ ଅବା କୃଷିର ଭିତ୍ତିଭୂମି ବିକାଶ, ସବୁ କ୍ଷେତ୍ରରେ ଓଡ଼ିଶା ସାରା ବିଶ୍ୱରେ ଦୃଷ୍ଟାନ୍ତ ହେବ ।
ଏହି ଅବସରରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କୃଷି କ୍ଷେତ୍ରରେ ଆଧୁନିକୀକରଣ ଏବଂ ନୂତନ ବିହନ କିସମ ଆପଣାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଦେଶବ୍ୟାପୀ ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ ଭାରତ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ଦେଶର ୭୦୦ ଜିଲ୍ଲାର ପ୍ରାୟ ୧ କୋଟି ୫୦ ଲକ୍ଷ ଚାଷୀଙ୍କ ନିକଟରେ ସରକାର ପହଞ୍ଚିବ ଏବଂ ନୂତନ କୃଷି ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ବିଷୟରେ ସେମାନଙ୍କୁ ଅବଗତ କରାଇବ।
ପ୍ରତ୍ୟେକ ଜିଲ୍ଲା ସ୍ତରରେ ତିନୋଟି ଦଳ ଗଠନ କରାଯାଇ କୃଷି, ଉଦ୍ୟାନ କୃଷି ଓ ମୃତ୍ତିକା ସଂରକ୍ଷଣ ସମ୍ବନ୍ଧୀୟ ବିଷୟ ବସ୍ତୁ ଗୁଡ଼ିକୁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ବିଭାଗୀୟ ଅଧିକାରୀମାନେ ମିଳିତ ଭାବରେ ଗ୍ରାମୀଣ କୃଷକମାନଙ୍କୁ ଏ ବିଷୟରେ ବୁଝାଇବେ। ପ୍ରତ୍ୟେକ ଦଳ, ଦୈନିକ ଦୁଇଟି ଗାଁ ଗସ୍ତ କରି ପ୍ରତ୍ୟେକ ଗାଁ’ରେ ୨୫୦ ଜଣ ଚାଷୀଙ୍କୁ ଭେଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୃଷକ କଲ୍ୟାଣ ଯୋଜନା ଗୁଡ଼ିକୁ ବୁଝାଇବା ସହ ବିଭିନ୍ନ କାର୍ଯ୍ୟକ୍ରମ, ପଦକ୍ଷେପ ଏବଂ ନୂତନ ଜ୍ଞାନ କୌଶଳର ପ୍ରୟୋଗାତ୍ମକ ଦିଗ ଗୁଡ଼ିକ ଉପରେ ଚାଷୀଭାଇ ଓ ଭଉଣୀମାନଙ୍କ ସହ ଆଲୋଚନା କରିବେ ।
ଗବେଷଣାଲବ୍ଧ କୃଷି ସୂଚନା କିପରି ଭାବରେ ଚାଷୀ ଭାଇ ଭଉଣୀମାନଙ୍କ ନିକଟରେ ପହଞ୍ଚିବ ସେ ବିଷୟରେ ପଦକ୍ଷେପ ମାନ ନିଆଯିବ। ବିଶେଷ କରି ମୃତ୍ତିକାର ସ୍ଵାସ୍ଥ୍ୟ ପରୀକ୍ଷା, ମୃତ୍ତିକା ସ୍ଵାସ୍ଥ୍ୟକାର୍ଡର ବ୍ୟବହାରିତା, ସାର ପରିଚାଳନା, ଜଳବାୟୁ ପ୍ରତିରୋଧ କୃଷି ଇତ୍ୟାଦି ବିଷୟରେ ଚାଷୀମାନଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆଗାମୀ ୧୫ ଦିନ ଧରି ଚାଲୁ ରହିବାକୁ ଥିବା ଏହି ଅଭିଯାନ ରେ ପ୍ରାୟ ୧.୫ କୋଟି ଚାଷୀଙ୍କ ସହିତ ସରକାର ସିଧାସଳଖ ସାକ୍ଷାତକାର କରି ସେମାନଙ୍କୁ ନୂତନ କୃଷି ଜ୍ଞାନ କୌଶଳ ଓ ପ୍ରଯୁକ୍ତିବିଦ୍ୟା ବିଷୟରେ ଅବଗତ କରାଇବେ ।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓଁ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଏବଂ ଓୟୁଏଟିର କୁଳପତି, ପ୍ରଫେସର୍ ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।