ଭୁବନେଶ୍ୱର: ବର୍ଷା ପରେ ରାଜ୍ୟରେ ପୁଣି କଲବଲ କରିବ ତାତି । ରାଜ୍ୟରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ବର୍ଷା ହେବାର କୌଣସି ସୂଚନା ନାହିଁ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । କାଳବୈଶାଖୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇପାରେ । ଗତ କିଛି ଦିନ ହେବ ରାଜ୍ୟରେ ବର୍ଷା ଲାଗିରହିଥିଲା । ଟ୍ୱିନ ସିଟି ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହୋଇଥିଲା । ଫଳରେ ତାତିରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିଥିଲା ।
ଆଜି ଓ ଆସନ୍ତାକାଲି ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ବାଂଲାଦେଶ ଓ ସଂଲଗ୍ନ ମେଘାଳୟ ଉପରେ ଥିବା ଅବପାତ ଆସନ୍ତା ୧୨ ଘଣ୍ଟାରେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯିବ । ସେଥିପାଇଁ ରାଜ୍ୟରେ ବର୍ଷା ନ ହେବାର ସମ୍ଭାବନା ରହିଛି । ଆଜି ଟ୍ୱିନ ସିଟିରେ ସକାଳୁ ସକାଳୁ ସୂର୍ଯ୍ୟଙ୍କ ପ୍ରକୋପ ଦେଖିବାକୁ ମିଳିଛି । ଅସହ୍ୟ ତାତି ଓ ଗୁଳୁଗୁଳିର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଆସନ୍ତା ୩, ୪ ଓ ୫ ତାରିଖରେ ମାଲକାନଗିରି, କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାର ବିଭନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା , ବିଜୁଳି ଓ ଘଡଘଡି ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି ।