ଭୁବନେଶ୍ୱର: ଜୁଆ ଖେଳିକି ଧରାପଡ଼ିଲେ ଆଉ ଜେଲ୍ ଯିବାକୁ ପଡ଼ିବନି। କେବଳ ଜରିମାନା ଦେଇଦେଲେ ସରକାର ଜୁଆ ଖେଳିବା ଜନିତ ଅପରାଧକୁ ମାଫ୍ କରିଦେବେ। ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ଜନବିଶ୍ବାସ ବିଲ୍, ୨୦୨୫ ଆଣିଛନ୍ତି।
ରାଜ୍ୟ ବିଧାନସଭାରେ ଚାରି ଘଣ୍ଟାର ମାରାଥନ ବିତର୍କ ପରେ ଓଡ଼ିଶା ଜନ ବିଶ୍ୱାସ ବିଲ୍, ୨୦୨୫ ପାସ୍ କରିଛି। ଏହି ବିଲ୍ ୯ଟି ବିଭାଗର ୧୬ଟି ଆଇନ ସଂଶୋଧନ କରିଛି ଏବଂ ଓଡ଼ିଶା ଜୁଆ ନିବାରଣ ଆଇନ, ୧୯୫୫ ଅନୁଯାୟୀ ଜେଲଦଣ୍ଡ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ହଟାଇ ଦେଇଛି।
ଏହି ବିଲ୍ରେ ୯ଟି ବିଭାଗର ୧୬ଟି ଆଇନର ସଂଶୋଧନ କରାଯାଇଥିବା ବେଳେ ଓଡ଼ିଶା ଜୁଆ ଖେଳ ପ୍ରତିରୋଧ ଅଧିନିୟମ,୧୯୫୫ରେ ବ୍ୟାପକ ସଂଶୋଧନ କରି ସମସ୍ତ ଜେଲ୍ ଦଣ୍ଡକୁ ଉଠାଇ ଜରିମାନାରେ ପରିଣତ କରାଯାଇଛି। ଏଥିରେ ମୁଖ୍ୟତଃ ୫ ହଜାରରୁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେଲେ ଜୁଆ ଖେଳାଳି, ସଂସ୍ଥାଙ୍କ ଅପରାଧ ମାଫ୍ କରିବାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଜୁଆ ଖେଳିଲେ ଯେଉଁ ୧ମାସରୁ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଥିଲା ତାହାକୁ ସଂପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି।
ସରକାର ଶ୍ରମ, କୃଷି, ସ୍ୱାସ୍ଥ୍ୟ, ନଗର ଉନ୍ନୟନ ଓ ବାଣିଜ୍ୟ ଭଳି ବିଭାଗର ୧୬ଟି ଆଇନର ସମୀକ୍ଷା କରି ୪ଟି ବଡ଼ ପରିବର୍ତ୍ତନ କରିଛନ୍ତି। ଛୋଟ ଅପରାଧ ପାଇଁ ଆଉ କାରାଦଣ୍ଡ ହେବ ନାହିଁ। ଏହା ବଦଳରେ କେବଳ କିଛି ଅର୍ଥ ଦଣ୍ଡ ଦେବାକୁ ପଡ଼ିବ। ଛୋଟମୋଟ ଉଲ୍ଲଙ୍ଘନଗୁଡ଼ିକର ସମାଧାନ ପାଇଁ କୋର୍ଟ ଯିବାକୁ ପଡ଼ିବନି, ଅଧିକାରୀମାନେ ପ୍ରାଶାସନିକ ସ୍ତରରେ ଏହାର ଫଇସଲା କରିବେ। ଅପରାଧୀ ଭାବେ ଦଣ୍ଡିତ କରିବା ବଦଳରେ, କେବଳ ନିୟମ ପାଳନ କରିବା ପାଇଁ ‘ଦେୱାନୀ ଜରିମାନା’ ଲାଗୁ ହେବ। ଆର୍ଥିକ ଜରିମାନା ଯେପରି ଅତ୍ୟଧିକ ନହୁଏ ସେଥିପାଇଁ ବ୍ୟବସ୍ଥା କରାଯିବ। ତେବେ ସରକାର ସ୍ପଷ୍ଟ କରିଛନ୍ତି କୋହଳ ନୀତି କେବଳ ଛୋଟ ଭୁଲ୍ ପାଇଁ ଉଦ୍ଦିଷ୍ଟ।
ଯଦି କେହି ଜାଣିଶୁଣି ଠକେଇ କରନ୍ତି କିମ୍ବା ଯଦି କାହାର କାର୍ଯ୍ୟ ଯୋଗୁଁ ଜନସାଧାରଣଙ୍କ ସ୍ୱାସ୍ଥ୍ୟ, ପରିବେଶ କିମ୍ବା ସମାଜର କ୍ଷତି ହୁଏ ତେବେ ପୁରୁଣା ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତୀୟ ନ୍ୟାୟ ସଂହିତା ଭଳି ମୁଖ୍ୟ ଅପରାଧିକ ଆଇନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ନୂଆ ନିୟମ ଯୋଗୁଁ ରାଜ୍ୟରେ ବ୍ୟବସାୟିକ ପରିବେଶ ସୁଧୁରିବ ଏବଂ ଲୋକମାନେ ବିନା ଭୟରେ ସଚ୍ଚୋଟ ଭାବରେ ନିଜ ବ୍ୟବସାୟ କରିପାରିବେ ବୋଲି ଆଶା କରାଯାଉଛି। ବିନା ବିଳମ୍ବରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାରକୁ ତୁରନ୍ତ ଲାଗୁ କରିବା ଉଦ୍ଦେଶ୍ୟରେ ପୂର୍ବରୁ ଏହି ବିଲ ଅଧ୍ୟାଦେଶ ଜରିଆରେ ରାଜ୍ୟରେ ଲାଗୁ ହୋଇ ସାରିଛି। ଏବେ ଏହି ବିଲ ଗୃହୀତ ହେବା ପରେ ଆଇନରେ ପରିଣତ ହେବାକୁ ଯାଉଛି।
ସଂଶୋଧିତ ୧୬ଟି ଆଇନର ତାଲିକା
୧. ଓଡ଼ିଶା ନର୍ସ ଏବଂ ଧାତ୍ରୀ ପଞ୍ଜୀକରଣ ଆଇନ, ୧୯୩୮
୨. ଓଡ଼ିଶା ପୌର ଆଇନ, ୧୯୫୦
୩. ଓଡ଼ିଶା ଜୁଆ ନିବାରଣ ଆଇନ, ୧୯୫୫
୪. ଓଡ଼ିଶା କୃଷି ଉତ୍ପାଦ ବଜାର ଆଇନ, ୧୯୫୬
୫. ଓଡ଼ିଶା ନଗର ଯୋଜନା ଏବଂ ଉନ୍ନତି ଟ୍ରଷ୍ଟ ଆଇନ, ୧୯୫୬
୬. ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬
୭. ଓଡ଼ିଶା ବିଦ୍ୟୁତ୍ (କର୍ତ୍ତବ୍ୟ) ଆଇନ, ୧୯୬୧
୮. ଓଡ଼ିଶା କେନ୍ଦୁ ପତ୍ର (ବାଣିଜ୍ୟ ନିୟନ୍ତ୍ରଣ) ଆଇନ, ୧୯୬୧
୯. ଓଡ଼ିଶା ସମବାୟ ସମିତି ଆଇନ, ୧୯୬୨
୧୦. ଓଡ଼ିଶା ଶିଳ୍ପ ପ୍ରତିଷ୍ଠାନ (ଜାତୀୟ ଏବଂ ପର୍ବପର୍ବାଣୀ) ଛୁଟିଦିନ ଆଇନ, ୧୯୬୯
୧୧. ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ, ୧୯୮୨
୧୨. ଓଡ଼ିଶା ଅଗ୍ନି ନିର୍ବାପନ ଏବଂ ଜରୁରୀକାଳୀନ ସେବା ଆଇନ, ୧୯୯୩
୧୩. ଓଡ଼ିଶା ପୌର ନିଗମ ଆଇନ, ୨୦୦୩
୧୪. ଓଡ଼ିଶା ମୂଲ୍ୟଯୁକ୍ତ ଟିକସ ଆଇନ, ୨୦୦୪
୧୫. ଓଡ଼ିଶା ଶ୍ରମ କଲ୍ୟାଣ ପାଣ୍ଠି ଆଇନ, ୨୦୦୫
୧୬. ଓଡ଼ିଶା ଉତ୍ପାଦ ଆଇନ, ୨୦୦୮
ବିଲ୍ର ପ୍ରବର୍ତ୍ତକ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହାକୁ ଏକ "ଐତିହାସିକ ଆଇନଗତ ସଂସ୍କାର" ଭାବରେ ବର୍ଣ୍ଣନା କରିଛନ୍ତି ଯାହା ସୁଶାସନ, ନାଗରିକ-କୈନ୍ଦ୍ରିକ ଆଇନ ଏବଂ ନିବେଶକଙ୍କ ବିଶ୍ୱାସକୁ ବୃଦ୍ଧି କରି "ବିକଶିତ ଓଡ଼ିଶା" ଆଡ଼କୁ ଓଡ଼ିଶାର ଯାତ୍ରାକୁ ତ୍ୱରାନ୍ୱିତ କରିବ।
ଅଧିକ ପଢନ୍ତୁ: ରାଜା କହିଦେଲେ ହୃଦୟର କଥା, ସରକାରୀ ଦଳକୁ ଯିବାକୁ ରଖିଲେ ସର୍ତ୍ତ