ନୂଆଦିଲ୍ଲୀ: ମନରେଗା ଯୋଜନାରେ ଫେକ୍ ଜବ୍ କାର୍ଡ ହାତେଇଛନ୍ତି ହଜାର ହଜାର ଲୋକ । ନକଲି ଜବ୍ କାର୍ଡ ହାତେଇବାରେ ସାରା ଦେଶର ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି । ଓଡ଼ିଶା ଉପରକୁ ବିହାର ପ୍ରଥମ ସ୍ଥାନରେ ରହିଛି । ସଂସଦରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କମଳେଶ ପାସୱାନ ।
ସାଂସଦ ମାଳା ରାୟ ଏମଜିଏନଆରଜିଏକୁ ନେଇ ପଚାରିଥିବା ପ୍ରଶ୍ନରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ କମଳେଶ ପାସୱାନ ଲିଖିତ ଉତ୍ତର ରଖିଛନ୍ତି । ମନ୍ତ୍ରୀଙ୍କ ସୂଚନା ମୁତାବକ ୨୦୨୪-୨୫ ଆର୍ଥିକ ବର୍ଷରେ କେବଳ ଓଡ଼ିଶାରେ ୭,୫୬୬ଟି ନକଲି ଜବ୍ କାର୍ଡ ଚିହ୍ନଟ କରାଯାଇଛି । ସେହିପରି ୨୦୨୨-୨୩ରେ ୧୧,୯୪୪ ଏବଂ ୨୦୨୩-୨୪ରେ ୭,୨୫୬ ନକଲି ଜବ୍ କାର୍ଡଧାରୀ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ନକଲି ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଓଡ଼ିଶାରେ ମୋଟ ୬୬ ଲକ୍ଷରୁ ଅଧିକ ହିତାଧିକାରୀ ଜବ୍ କାର୍ଡ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୪୩ ଲକ୍ଷ କାର୍ଯ୍ୟକ୍ଷମ ଅଛି ।
ସେହିପରି ପ୍ରଥମ ସ୍ଥାନରେ ବିହାର (୮,୧୧୧), ତୃତୀୟରେ ଆସାମ (୭,୩୪୧), ଚତୁର୍ଥରେ ଛତିଶଗଡ଼ (୬,୮୮୮) ଏବଂ ପଞ୍ଚମରେ ତାମିଲନାଡ଼ୁ (୬,୦୦୦) ରହିଛି । ଏହି ସମସ୍ତ ରାଜ୍ୟ ନକଲି ଜବ୍ କାର୍ଡ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ତାଲିକାରୁ ବାଦ୍ ଦିଆଯାଇଛି ।
୨୦୨୨ରୁ ୨୦୨୫ ମଧ୍ୟରେ ସାରା ଦେଶରେ ୧୦ ଲକ୍ଷରୁ ଅଧିକ ନକଲି ଜବ୍ କାର୍ଡକୁ ବାତିଲ କରାଯାଇଛି । ବିଭିନ୍ନ କାରଣରୁ ଯେପରିକି ନକଲି କାର୍ଡ, ନକଲି ହିତାଧିକାରୀ, ପଞ୍ଚାୟତରୁ ସ୍ଥାୟୀ ଭାବେ ସ୍ଥାନାନ୍ତର ହୋଇଥିବା ପରିବାର ଏବଂ ମୃତ ବ୍ୟକ୍ତିଙ୍କ ନାମରେ ଥିବା କାର୍ଡଗୁଡ଼ିକୁ ବାତିଲ କରାଯାଇଥାଏ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।