ମୟୁରଭଞ୍ଜ: ବିବାହ ଏକ ପବିତ୍ର ବନ୍ଧନ । କୁହାଯାଏ ଯିଏ ଯାହା ଭାଗ୍ୟରେ ଲେଖା । ସିଏ ତାକୁ ହିଁ ପାଇଥାଏ । କୌଣସି ବାଧାବିଘ୍ନ ତାକୁ ଅଟକାଇ ପାରିନଥାଏ । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ନେଦା ଗାଁ।
ବନ୍ୟା ବିଭିଷୀକା ମଧ୍ୟରେ ହେବାକୁ ଯାଉଛି ଦୁଇଟି ମନର ମିଳନ। ବର୍ଷା ହେଉ ବା ବନ୍ୟା ଅଟକାଇପାରିନଥିଲା ବିବାହ ଭଳି ମାଙ୍ଗଳିକ କାର୍ଯ୍ୟକୁ। ଜଳମଗ୍ନ ଗାଁ ଭିତରେ ରହି, ନିଜ ମନର ମଣିଷକୁ ପାଇବା ପାଇଁ ବର ବେଷରେ ବାହାରିଥିଲେ ଯୁବକ। କିଏ ପାଦରେ ଚାଲି ଚାଲି ତ, ଆଉ କିଏ ଗାଡ଼ି ଘୋଡ଼ା ରେ ବର ଯାତ୍ରୀ ନେଇ ବାହା ହେବାକୁ ଯାଉଥିବା ବେଳେ ନୂଆ ଭାବରେ ଦେଖିବାକୁ ମିଳିଛି ଡଙ୍ଗାରେ ବରଯାତ୍ରୀ ।
ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟାରେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ନେଦା ଗ୍ରାମ ଜଳାମଗ୍ନ ହୋଇଯାଇଥିବା ବେଳେ ରାସ୍ତା ଘାଟ ଉପରେ ଆଣ୍ଠୁଏ ଉପରେ ଚାଲୁଛି ପାଣି। କିନ୍ତୁ ଏହି ସମୟରେ ନେଦା ଗାଁରେ ଜଣେ ବ୍ୟକ୍ତିଙ୍କ ବିବାହ ତାରିଖ ପୂର୍ବରୁ ସ୍ଥିର ହୋଇଯାଇଥିଲା। ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାରେ ହଠାତ୍ ବନ୍ୟା ଆସିଥିଲା। ପାଣିଘେରରେ ରହିଯାଇଥିଲା ନେଦା ଗାଁ।
ହେଲେ ବିବାହକୁ ବାତିଲ କରାଯାଇନଥିଲା । ବରଂ ସ୍ଥିରୀକୃତ ବିବାହ ପାଇଁ ଡଙ୍ଗାରେ ବାହାରିଥିଲା ବର । ଆଉ ବନ୍ୟା ଜଳ ମଧ୍ୟରେ ଘରୁ ବର ସହ ବରଯାତ୍ରୀ ଡଙ୍ଗାରେ ବାହାରି ପଡୋଶୀ ରାଜ୍ୟ ଝାଡଖଣ୍ଡର ଟାଟା ନଗରକୁ କନିଆ ଆଣିବାକୁ ଯାଇଥିଲେ । ଏଭଳି ମନୋରମା ଚିତ୍ର ଦେଖିବାକୁ ଗାଁ ରେ ଭିଡ ଦେଖିବାକୁ ମିଳିଥିଲା। ଯାହା ସଭିଙ୍କୁ ଆନନ୍ଦିତ କରିଛି। ବନ୍ୟା ହେଉ ବା ବାତ୍ୟା ସ୍ଥିତିରେ ବି ଲୋକମାନେ ନିଜ ଖୁସିକୁ କମ୍ କରିବାକୁ ଚାହୁଁନାହାନ୍ତି। ତେବେ ବଢିପାଣିରେ ବିବାହ ପାଇଁ ବର ଡଙ୍ଗାରେ ଯାଉଥିବା ଦୃଶ୍ୟ ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।