ପୁରୀ: ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ ଶରଧାବାଲିର ପବିତ୍ରତା ବଜାୟ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପୁରୀ ପୌର ସଂସ୍ଥାକୁ ଚିଠି ଲେଖିଛି । ଶରଧା ବାଲିର ପବିତ୍ରତା ଏବଂ ସାଂସ୍କୃତିକ ଗୁରୁତ୍ୱ ବଜାୟ ରଖିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଚିଠିରେ ଅନୁରୋଧ କରିଛନ୍ତି । ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟ ପ୍ରଶାସକ ପତ୍ର ଲେଖି ପରାମର୍ଶ ଦେଇଛନ୍ତି ।
ମୁଖ୍ୟ ପ୍ରଶାସକ ଲେଖିଛନ୍ତି, ମହାପ୍ରଭୁଙ୍କ ରଥଯାତ୍ରା ସହ ସମ୍ପୃକ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ପବିତ୍ର ଶରଧା ବାଲିର ଅନେକ ଗୁରୁତ୍ୱ ରହିଛି । ଶରଧା ବାଲିର ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରାନଯାଉ ବରଂ ଏହାର ସୁରକ୍ଷା ତଥା ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଗଲେ ଶ୍ରୀଗଜନ୍ନାଥ ମନ୍ଦିର ପରମ୍ପରା ତଥା ଐତିହ୍ୟ ରୁଦ୍ଧିମନ୍ତ ହେବ । ଶ୍ରଦ୍ଧାଳୁ ତଥା ଭକ୍ତ ସମୂହଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଶରଧା ବାଲିକୁ କେବଳ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ କାର୍ଯ୍ୟ ପାଇଁ ସଂରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ।
ଆସନ୍ତା ଶୁକ୍ରବାର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ କ୍ଷୀପ୍ର ଗତିରେ ଆଗେଇ ଚାଲିଛି । ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଅପରପକ୍ଷେ ମନ୍ତ୍ରୀ ସ୍ତରୀୟ କମିଟି ଘନ ଘନ ବୈଠକ କରି ସମସ୍ତ ବିଭାଗର ପ୍ରସ୍ତୁତିକୁ ସମୀକ୍ଷା କରୁଛନ୍ତି ।