ଭୁବନେଶ୍ୱର: ରାଜ୍ୟରେ ବନ୍ୟା ମୁକାବିଲା ଏବଂ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବେ। ଜିଲ୍ଲାପାଳମାନଙ୍କ ବିସ୍ତୃତ ରିପୋର୍ଟ ଆଧାରରେ ଏହି ମାଷ୍ଟରପ୍ଲାନ୍ ତିଆରି ହେବ। ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।
୨୩ ଜିଲ୍ଲାରେ ବନ୍ୟା ଦାଉ: ୩୫୬୭ ଘର ଓ ୩୭ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ
ବୈଠକରୁ ମିଳିଥିବା ସରକାରୀ ତଥ୍ୟ ଅନୁଯାୟୀ:
• ରାଜ୍ୟର ୨୩ଟି ଜିଲ୍ଲା ଆଂଶିକ ବା ବ୍ୟାପକ ଭାବେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି।
• ବର୍ତ୍ତମାନ ସୁଦ୍ଧା ୩,୫୬୭ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୭,୨୯୭ ହେକ୍ଟର ଚାଷଜମି ନଷ୍ଟ ହୋଇଛି।
• କେତେକ ଅଞ୍ଚଳରୁ ବନ୍ୟାଜଳ ସମ୍ପୂର୍ଣ୍ଣ ନିଷ୍କାସିତ ହୋଇନଥିବାରୁ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ କ୍ଷୟକ୍ଷତି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ।
ତୁରନ୍ତ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ; ୧୧୦ କୋଟିର ସହାୟତା ରାଶି ମଞ୍ଜୁର
ଜିଲ୍ଲାପାଳମାନଙ୍କୁ ତୁରନ୍ତ କ୍ଷୟକ୍ଷତି ଆକଳନ ସାରି ପ୍ରଭାବିତଙ୍କୁ ଆର୍ଥିକ ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ଇତିମଧ୍ୟରେ ୧୧୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିସାରିଛନ୍ତି। ଆବଶ୍ୟକ ପଡ଼ିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଅଧିକ ପାଣ୍ଠି ଯୋଗାଇ ଦିଆଯିବ।
ଭିତ୍ତିଭୂମି ଓ ରାସ୍ତାଘାଟର ହେବ ସ୍ଥାୟୀ ମରାମତି
ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇଥିବା ଜାତୀୟ ରାଜପଥ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା ରାସ୍ତାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଆଲୋଚନା କରାଯାଇଛି। ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ରାଜସ୍ୱ ବିଭାଗ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ପାଣ୍ଠି ପ୍ରଦାନ କରିବ। ସେହିପରି ଶକ୍ତି, ମହିଳା ଓ ଶିଶୁ ବିକାଶ ବିଭାଗର କ୍ଷୟକ୍ଷତି ଭରଣା ଆଗାମୀ ବଜେଟରୁ କରାଯିବ।
ବୈଠକରେ ସ୍ଥାୟୀ ସମାଧାନ ଉପରେ ଚର୍ଚ୍ଚା
ଏକାସାଙ୍ଗରେ ଏକାଧିକ ନଦୀରେ ବନ୍ୟା ଆସିବାର କାରଣ, ଜଳ ନିଷ୍କାସନ ସମସ୍ୟା, ଘେରିବନ୍ଧର ଆବଶ୍ୟକତା ଏବଂ ଭିତ୍ତିଭୂମି ବିକାଶ ଉପରେ ବୈଠକରେ ଦୀର୍ଘ ଆଲୋଚନା ହୋଇଥିଲା।
ଏହି ଉଚ୍ଚସ୍ତରୀୟ ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିସନର (SRC) ରାଜେଶ ପ୍ରଭାକର ପାଟିଲ୍, ଜଳସମ୍ପଦ ସଚିବ ଶୁଭା ଶର୍ମା, କୃଷି ସଚିବ ସଚିନ ରାମଚନ୍ଦ୍ର ଯାଦବ, ଗ୍ରାମ୍ୟ ଉନ୍ନୟନ ସଚିବ ଯାମିନୀ ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ବିଭାଗର ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।