ପୁରୀ: "ସ୍ୱର୍ଗଦ୍ୱାରରେ ଦାହ ହେଲେ ଆତ୍ମାକୁ ମୁକ୍ତି ମିଳେ ଏବଂ ପୁନର୍ଜନ୍ମରୁ ତ୍ରାହି ମିଳିଥାଏ"— ଏହି ସନାତନ ବିଶ୍ୱାସ ଯୋଗୁଁ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ପାଇଁ ସାରା ରାଜ୍ୟରୁ ଦୈନିକ ଶହ ଶହ ମୃତଦେହ ଆସୁଛି। ମାତ୍ର ଏହି ପବିତ୍ର ଶ୍ମଶାନପୀଠରେ ଏବେ ଦେଖାଦେଇଛି ଭୀଷଣ କାଠ ସଙ୍କଟ। ସରକାରୀ ତଥ୍ୟ ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ସ୍ୱର୍ଗଦ୍ୱାରରେ ଶବଦାହ ସଂଖ୍ୟା ତିନିଗୁଣା ବୃଦ୍ଧି ପାଇଥିବା ବେଳେ, ଯୋଗାଣ କମିବା ଯୋଗୁଁ ଅନ୍ତିମ ସଂସ୍କାର ପାଇଁ ଆସୁଥିବା ପରିଜନମାନେ ଦୀର୍ଘସମୟ ଧରି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଦିନକୁ ୧୫୦ରୁ ଅଧିକ ଶବ: କାଠ ଗୋଦାମ ଖାଲି
ପୂର୍ବରୁ ସ୍ୱର୍ଗଦ୍ୱାରକୁ ଦୈନିକ ପାଖାପାଖି ୫୦ରୁ ୬୦ଟି ଶବ ଆସୁଥିବା ବେଳେ, ବର୍ତ୍ତମାନ ଏହି ସଂଖ୍ୟା ୧୫୦ ପାର୍ ହେଉଛି। ପ୍ରତି ଶବଦାହ ପାଇଁ ପ୍ରାୟ ଦେଢ଼ କ୍ୱିଣ୍ଟାଲ କାଠ ଆବଶ୍ୟକ ହୋଇଥାଏ। ସେହି ହିସାବରେ ଦୈନିକ ୧୫୦ କ୍ୱିଣ୍ଟାଲରୁ ଅଧିକ କାଠ ଚାହିଦା ରହିଛି। ଓଡ଼ିଶା ବନ ଉନ୍ନୟନ ନିଗମ (OFDC) ଦ୍ୱାରା ଯୋଗାଯାଉଥିବା କାଠ ଏହି ଚାହିଦା ତୁଳନାରେ ଅତି ନଗଣ୍ୟ।
ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ମାଗଣା କାଠ ସୁବିଧା ଏବଂ ସ୍ୱର୍ଗଦ୍ୱାରର ନବୀକରଣ ପରେ ବର୍ଷା, ଝଡ଼ ତୋଫାନରେ ବି ଶବଦାହ ସହଜ ହୋଇଥିବାରୁ ଏଠାରେ ଭିଡ଼ ଅସମ୍ଭାଳ ହୋଇଛି। ମାତ୍ର ଗୋଦାମରେ ପର୍ଯ୍ୟାପ୍ତ ସଂରକ୍ଷିତ କାଠ ନଥିବାରୁ ଶୋଚନୀୟ ପରିସ୍ଥିତି ସୃଷ୍ଟି ହୋଇଛି।
ବର୍ଷା ଓ ସୀମିତ ଜଙ୍ଗଲ: ପ୍ରଶାସନିକ ସ୍ପଷ୍ଟୀକରଣ
କାଠ ସଙ୍କଟ ନେଇ ପୁରୀ ବନଖଣ୍ଡ ଅଧିକାରୀ (DFO) ମଗର ଧାନାଜି ରାଓସୋ କହିଛନ୍ତି ଯେ, ଜଙ୍ଗଲ ସୀମିତ ଥିବା ବେଳେ ଗତ ୫ ବର୍ଷରେ ଶବଦାହ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଛି। ବର୍ଷା ଯୋଗୁଁ ବଡ଼ ଗାଡ଼ିରେ କାଠ ପରିବହନ ବାଧାପ୍ରାପ୍ତ ହେଉଥିବାରୁ ଛୋଟ ଗାଡ଼ିରେ କାଠ ଅଣାଯାଉଛି। କାଠ ଯୋଗାଣ ସ୍ୱାଭାବିକ କରିବା ସହ ବିକଳ୍ପ ସମ୍ପର୍କରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।
ଅନ୍ୟପଟେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ଯେ, ସ୍ୱର୍ଗଦ୍ୱାରରେ କାଠ ସଙ୍କଟ ଦୂର କରିବା ପାଇଁ ଆଲୋଚନା ହୋଇଛି ଏବଂ ସ୍ଥାୟୀ ବିକଳ୍ପ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।
ନାଲିଫିତା ତଳେ ଚାପିହୋଇଛି ବିକଳ୍ପ ପ୍ରକଳ୍ପ
ପରମ୍ପରା ଓ ଧାର୍ମିକ ବିଶ୍ୱାସ ଯୋଗୁଁ ପୂର୍ବରୁ ସ୍ୱର୍ଗଦ୍ୱାରରେ ପ୍ରତିଷ୍ଠା କରାଯାଇଥିବା ବିଦ୍ୟୁତ୍ ଚୁଲା ପ୍ରକଳ୍ପ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଥିଲା। ଏହାପରେ କମ୍ କାଠ ବ୍ୟବହାର କରି ମେସିନ୍ ସହାୟତାରେ ଉତ୍ତାପ ପ୍ରବାହିତ କରି ଶବଦାହ କରିବାର ଏକ ବୈଜ୍ଞାନିକ ଓ ବିକଳ୍ପ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏହି ପ୍ରସ୍ତାବଟି ଦୀର୍ଘଦିନ ହେବ ନାଲିଫିତା ତଳେ ବାନ୍ଧିହୋଇ ପଡ଼ିରହିଛି।
ଜଙ୍ଗଲ ସମ୍ପଦ ସୀମିତ ଥିବା ବେଳେ ଯଦି ତୁରନ୍ତ ଏହି ବିକଳ୍ପ ଦାହ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାନଯାଏ, ତେବେ ଆଗାମୀ ଦିନରେ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରିବା ସାଧାରଣ ଲୋକଙ୍କ ପାଇଁ ସ୍ୱପ୍ନ ହୋଇଯିବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।