ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ସ୍ଥିତି ଏବଂ ଏହାର କ୍ଷୟକ୍ଷତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ପ୍ରାଥମିକ ଆକଳନ ଅନୁଯାୟୀ ରାଜ୍ୟରେ ୩,୫୬୭ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩୭,୨୯୭ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଏହି କ୍ଷୟକ୍ଷତି ପରିମାଣ ଆହୁରି ବଢ଼ିପାରେ ବୋଲି ମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି।
ରାଜ୍ୟର ପ୍ରାୟ ୨୨ଟି ଜିଲ୍ଲା ଆଂଶିକ କିମ୍ବା ବ୍ୟାପକ ଭାବେ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ସ୍ଥିତି କ୍ରମଶଃ ସ୍ୱାଭାବିକ ହେଉଥିବା ବେଳେ ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାକୁ ବାଦ ଦେଲେ ଅନ୍ୟ ସମସ୍ତ ପ୍ରଭାବିତ ଜିଲ୍ଲାର କ୍ଷୟକ୍ଷତି ରିପୋର୍ଟ ଆଜି ରାତି ସୁଦ୍ଧା ହସ୍ତଗତ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁଠି ଏବେ ବି ପାଣି ଜମି ରହିଛି, ପାଣି ସମ୍ପୂର୍ଣ୍ଣ ନିଷ୍କାସନ ହେବା କ୍ଷଣି ତ୍ୱରିତ ଆକଳନ କରି ପ୍ରଭାବିତମାନଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଜିଲ୍ଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ସହରାଞ୍ଚଳ ବନ୍ୟା ଓ ସ୍ଥାୟୀ ପ୍ରତିକାର ଉପରେ ଗୁରୁତ୍ବ
ବୈଠକରେ ବିଶେଷ କରି ସହରାଞ୍ଚଳ ବନ୍ୟା ସମସ୍ୟାକୁ ଗୁରୁତ୍ୱର ସହ ନିଆଯାଇଛି। ରାଜ୍ୟର ୧୦ଟି ସହରାଞ୍ଚଳ ପାଇଁ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରାଯାଉଛି। ବିଭିନ୍ନ ବିଭାଗର କାର୍ଯ୍ୟ କରିବାର ସାମର୍ଥ୍ୟ ଓ କ୍ଷମତା ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରାକୃତିକ ବିପର୍ଯ୍ୟୟର ମୁହଁ ବଦଳୁଥିବାରୁ, ଏହାର ଏକ ସ୍ଥାୟୀ ସମାଧାନ ପାଇଁ ସରକାର ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି।
ଆଗାମୀ ବର୍ଷା ନେଇ ପାଣିପାଗ ସତର୍କତା
ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗକୁ ମୟୂରଭଞ୍ଜ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଯାଜପୁର, ଭଦ୍ରକ ଏବଂ କଟକ ସମେତ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ବନ୍ୟାର ମୂଳ କାରଣ, ନଦୀ ବନ୍ଧର ଦୁର୍ବଳ ସ୍ଥାନ ଏବଂ ଭିତ୍ତିଭୂମିର ଆବଶ୍ୟକତା ନେଇ ଚୂଡ଼ାନ୍ତ ରିପୋର୍ଟ ପଠାଇବାକୁ କୁହାଯାଇଥିବା ବੇଳେ ଆଗାମୀ ବଜେଟ୍ରେ ଏଥିପାଇଁ ଆବଶ୍ୟକ ଅର୍ଥ ବରାଦ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।