ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ବିଧାନସଭା ଗସ୍ତ କରିବା ନେଇ ସ୍ପଷ୍ଟ ହୋଇଛି । ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନ ଅର୍ଥାତ ଶୀତ ଅଧିବେଶନ ଆସନ୍ତା ୨୭ ତାରିଖ ଗୁରୁବାରରୁ ଆରମ୍ଭ ହେବାକୁ ଯାଉଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଦିନର ଅଧିବେଶନକୁ ସମ୍ବୋଧନ କରିବେ । ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ଚଳିତ ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏ ଚାଲିବ । ଏଥିରେ ୨୯ଟି କାର୍ଯ୍ୟ ଦିବସ ରହିଥିବାବେଳେ ୬ଟି ଛୁଟି ଦିନ ରହିଛି । ବଡ଼ ଦିନ ପାଇଁ ଗୋଟିଏ ଛୁଟି ରହିଥିବାବେଳେ ଅନ୍ୟ ସମସ୍ତ ଦିନମାନଙ୍କର ରବିବାର ଯୋଗୁଁ ଗୃହ କାର୍ଯ୍ୟ ବନ୍ଦ ରହିବ ।
ଡିସେମ୍ବର ୧, ୮, ୧୫, ୨୨ ଓ ୨୯ ତାରିଖ (ସୋମବାର)ରେ ଗୃହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ସଂସଦୀୟ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଡିସେମ୍ବର ୨, ୯, ୧୬, ୨୩ ଏବଂ ୩୦ (ମଙ୍ଗଳବାର) ତାରିଖରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଗ୍ରାମ୍ୟ ଉନ୍ନୟନ, ପବ୍ଲିକ୍ ଏଣ୍ଟରପ୍ରାଇଜେସ୍, ଏବଂ ଶ୍ରମ ବିଭାଗର ପ୍ରଶ୍ନୋତ୍ତର କାଳ ରହିଛି ।
ଡିସେମ୍ବର ୩, ୧୦, ୧୭, ୨୪ ଓ ୩୧ (ବୁଧବାର)ରେ କୃଷି, ଖାଦ୍ୟ ଯୋଗାଣ, ମତ୍ସ୍ୟ ଓ ପଶୁ ସମ୍ପଦ, ସମବାୟ, ଶକ୍ତି, ହସ୍ତତନ୍ତ, ଏମ୍ଏସଏମଇ, ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ ପ୍ରଶ୍ନୋତ୍ତର କାର୍ୟ୍ୟ ଚାଲିବ । ନଭେମ୍ବର ୨୭, ଡିସେମ୍ବର ୪, ୧୧ ଓ ୧୮ (ଗୁରୁବାର)ରେ ଜଳ ସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଯୋଜନା, ବାଣିଜ୍ୟ, ସୂଚନା ଓ ଲୋକସମ୍ପର୍କ ଏବଂ ପରିବହନ ବିଭାଗର କାର୍ଯ୍ୟ ଦିବସ ରହିଛି । ନଭେମ୍ବର ୨୮, ଡିସେମ୍ବର ୫, ୧୨, ୧୯ ଏବଂ ୨୬ (ଶୁକ୍ରବାର)ରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି ବିକାଶ, କ୍ରୀଡ଼ା, ଦକ୍ଷତା ବିକାଶ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ , ଶ୍ରମ, ପର୍ୟ୍ୟଟନ, ଅବକାରୀ ବିଭାଗ, ମିଶନ ଶକ୍ତି ଏବଂ ଆଇନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।