ଭୁବନେଶ୍ୱର: ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ଆସିପାରନ୍ତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ବିଧାନସଭାକୁ ନବୀକରଣ କରାଯାଉଛି । ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଆସିନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଆସନ୍ତା ୨୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିପାରନ୍ତି । ଏହି ସମୟରେ ରାଷ୍ଟ୍ରପତି ବିଧାନସଭା ଗସ୍ତ କରିବାର ସମ୍ଭାବନା ରହିଛି । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କର ଏହା ପ୍ରଥମ ବିଧାନସଭା ଗସ୍ତ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି । ଚଳିତ ମାସ ଶେଷ ସପ୍ତାହରେ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେଣୁ ରାଷ୍ଟ୍ରପତି ସ୍ୱତନ୍ତ୍ରଭାବେ ଏହି ଅଧିବେଶନକୁ ସମ୍ବୋଧନ କରିବାକୁ ରାଜ୍ୟ ସରକାର ନିବେଦନ କରିଥିବା ସୂଚନା ମିଳିଛି । କିନ୍ତୁ ରାଷ୍ଟ୍ରପତି ଆସିବେ କି ନାହିଁ ରାଷ୍ଟ୍ରପତି ଭବନ ପକ୍ଷରୁ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଆସିନାହିଁ । ଖୁବଶୀଘ୍ର ସ୍ପଷ୍ଟତା ଆସିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ରାଷ୍ଟ୍ରପତିଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ବିଧାନସଭାକୁ ନବୀକରଣ କରାଯାଉଛି । କାରଣ ବିଧାନସଭା ସହିତ ତାଙ୍କର ଅନେକ ପୁରୁଣା ସ୍ମୃତି ଯୋଡ଼ି ହୋଇ ରହିଛି । ସେଥିପାଇଁ ବିଧାନସଭାକୁ ରଙ୍ଗ ଦିଆଯିବା ସହିତ ଦ୍ରୌପଦୀ ମୁର୍ମୁ ପୂର୍ବରୁ ବସୁଥିବା କକ୍ଷକୁ ସଜା ଯାଉଛି । ଏହା ସହିତ ବିଧାୟିକା ସମୟରେ ବସୁଥିବା ଆସନକୁ ମଧ୍ୟ ସଜାଯାଉଛି ।
ଦ୍ରୌପଦୀ ମୁର୍ମୁ ମୟୁରଭଞ୍ଜ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଥିଲେ । ଏହା ସହିତ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ଥିଲେ ।