ଭୁବନେଶ୍ୱର: ମାଣ୍ଡିଆରେ ଭରପୁର ମାତ୍ରାରେ ପୋଷକ ତତ୍ୱ ରହିଛି । ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି ବୋଲି ଭୁବନେଶ୍ୱରରେ ପହଁଚିବା ପରେ କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ।
ଆଜି ହେଉଛି ମାଣ୍ଡିଆ ଦିବସ । ପ୍ରତ୍ୟେକ ବର୍ଷ ନଭେମ୍ବର ୧୦ ତାରିଖକୁ ଓଡ଼ିଶା ମାଣ୍ଡିଆ ଦିବସ ଭାବେ ପାଳନ କରିଥାଏ । ଏହି ଅବସରରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭୁବନେଶ୍ୱରରେ ପହଁଚିଛନ୍ତି । କେନ୍ଦ୍ର ମନ୍ତ୍ରୀ ଦିନିକିଆ ଗସ୍ତରେ ଓଡ଼ିଶା ଆସିଛନ୍ତି । ବିମାନ ବନ୍ଦରରେ ପହଁଚିବା ପରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଶ୍ରୀଅନ୍ନ ମିଲେଟ୍ ବା ମାଣ୍ଡିଆରେ ଭରପୁର ମାତ୍ରାରେ ପୋଷକ ତତ୍ୱ ରହିଛି । କେବଳ ଶରୀରର ନୁହେଁ ବରଂ ଧରତ୍ରୀ ପାଇଁ ମଧ୍ୟ ଉପକାରୀ । ଏହା ଉଭୟ ଭଲ ଏବଂ ଖରାପ ମାଟିରେ ଚାଷ ହୋଇପାରେ । ଏହା ଆଗାମୀ ଦିନରେ ଧରିତ୍ରୀର ସୁରକ୍ଷା କରିବ । କେନ୍ଦ୍ର ସରକାର ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । ଓଡ଼ିଶା ସରକାର ମଧ୍ୟ ଏହାକୁ ପ୍ରୋତ୍ସାହିତ କରୁଥିବାରୁ କେନ୍ଦ୍ର ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସେହିପରି ମାଣ୍ଡିଆର ଉତ୍ପାଦକୁ ବୃଦ୍ଧି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।
ଲୋକ ସେବା ଭବନରେ ଅବସ୍ଥିତ କନଭେନସନ ସେଣ୍ଟରରେ 'ମାଣ୍ଡିଆ ଦିବସ ' କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ଯୋଗଦେବେ କେନ୍ଦ୍ର ମନ୍ତ୍ରୀ । ଏହି ଅବସରରେ, ସେ ଓଡ଼ିଶା ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ମାଣ୍ଡିଆ ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିବେ। ଏହି କାର୍ଯ୍ୟକ୍ରମରେ କୃଷକଙ୍କ ଆୟ ବୃଦ୍ଧି ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ବାଜରାକୁ ଏକ ଉପକରଣ ଭାବରେ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା କରାଯିବ।