ଭୁବନେଶ୍ୱର: ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ହତ୍ୟା ମାମଲାରେ କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶିବା ପ୍ରଧାନକୁ ପୋଲିସ ଧରିଛି । ଶିବାକୁ ମାରଣାସ୍ତ୍ର ସହିତ ଅଟକ ରଖାଯାଇଛି । ପଚରାଉଚରା କରିବା ପରେ ପୋଲିସ ତାକୁ ଗିରଫ କରିବାର ସୂଚନା ରହିଛି ।
ଗତ ଅକ୍ଟୋବର ୧୩ ତାରିଖ, ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ଏମ୍ସରେ କାର୍ଯ୍ୟରତ ଲ୍ୟାବ୍ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆଙ୍କୁ ସରକନ୍ତରା ଗାଁରେ ଗୁଳିକରି ହତ୍ୟା କରାଯାଇଥିଲା। ଘରଠାରୁ ମାତ୍ର ଅଳ୍ପ କେତେ ଦୂରରେ ତାଙ୍କୁ ହତ୍ୟା କରାଯାଇଥିଲା । ସୁଧାଂଶୁ ଡ୍ୟୁଟିକୁ ବାହାରିକି ଯାଉଥିବାବେଳେ ଶିବା ତାଙ୍କୁ ପ୍ରଥମେ ଅଟକାଇଥିଲା । ଏହା ପରେ ଗୁଳି କରିଥିଲା । ପ୍ରଥମ ଗୁଳି ପରେ ସୁଧାଂଶୁ ଜୀବନ ବିକଳରେ ବାଇକ୍ ଛାଡ଼ି ବାଡ଼ି ପଛପଟକୁ ଦୌଡ଼ିଥିଲେ । ଅଭିଯୁକ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରିଥିଲେ । ଘର ଢିହକୁ ନେଇ ସୁଧାଂଶୁଙ୍କ ବାପା ପଠାଣି ଏବଂ ଦାଦା ସୁକାନ୍ତଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ବିବାଦରେ କୋର୍ଟଙ୍କ ରାୟ ସୁଧାଂଶୁଙ୍କ ସପକ୍ଷରେ ଯାଇଥିଲା । ଯାହା ପରଠାରୁ ଶିବା ରକ୍ତ ମୁଖା ହୋଇଯାଇଥିଲା । ପୂର୍ବରୁ ଶିବା ଅନେକବାର ଧମକ ମଧ୍ୟ ଦେଇଥିଲା ।
ଏହି ଘଟଣାରେ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ସୁକାନ୍ତ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ରାକେଶ ଖୁଣ୍ଟିଆ ଓ ସୁବ୍ରତ ସାହୁ । ସୁଧାଂଶୁଙ୍କ ସାନ ବାପାଙ୍କ ପୁଅ ତଥା ମୁଖ୍ୟ ଅଭିଯୁକ୍ତ ଶିବା ପ୍ରଧାନ ଅଟେ ।