ନୂଆଦିଲ୍ଲୀ: ଆଗାମୀ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଏବେ ବି ପ୍ରସ୍ତୁତ ହୋଇନି । ପ୍ରସ୍ତୁତି ମାମଲାରେ ଦଳ ସେହି ସ୍ଥିତିରେ ପହଞ୍ଚି ନାହିଁ ଯେଉଁଠି ପହଞ୍ଚିବା ଉଚିତ୍ । କିନ୍ତୁ ସେହି ସ୍ତରରେ ପହଞ୍ଚିବା ପାଇଁ ଦଳ ପାଖରେ ପର୍ଯ୍ୟାପ୍ତ ସମୟ ରହିଛି । ସୋମବାର ଏମିତି ବଡ ଟିପ୍ପଣୀ କରିଛନ୍ତି ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର । ମୁଖ୍ୟ କୋଚ୍ ବିସିସିଆଇ ଟିଭି ସହ ଆଲୋଚନା ବେଳେ ଫିଟନେସ ଉପରେ ମଧ୍ୟ ଜୋର ଦେଇଛନ୍ତି । ବିସିସିଆଇ ଦ୍ୱାରା ଜାରି ୪୬ ସେକେଣ୍ଡର କ୍ଲିପରେ ଗମ୍ଭୀର ଏହା କହୁଥିବା ଦେଖିବାକୁ ମିଳିଛି ।
ଗମ୍ଭୀର କହିଛନ୍ତି, ଖେଳାଳିଙ୍କୁ ଫିଟ୍ ରହିବା ଜରୁରୀ । ଆମ ପାଖରେ ସେହି ସ୍ତରରେ ପହଞ୍ଚିବା ପାଇଁ ତିନି ମାସର ସମୟ ରହିଛି । ଟି-୨୦ ବିଶ୍ୱକପ୍ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ । ଭାରତ ହେଉଛି ଏହି ଟୁର୍ଣ୍ଣାମେଣ୍ଟର ଡିଫେଣ୍ଡିଂ ଚାମ୍ପିଅନ । ଏହା ସହିତ ଗମ୍ଭୀର ଖେଳାଳିଙ୍କୁ ନିଜର ପ୍ରତିଭା ଭଲ ଭାବେ ହୃଦବୋଧ କରିବା ଏବଂ ଏହାରକୁ ଚିହ୍ନିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ସେ କହିଛନ୍ତି, ଆମେ ଖେଳାଳିଙ୍କୁ ସାମ୍ନାରେ ଯେତେ ସମ୍ଭବ ସେତେ ଅଧିକ କଡା ଚ୍ୟାଲେଞ୍ଜ ରଖୁଛୁ । ଆମେ ଶୁଭମନ ଗିଲଙ୍କ ସହ ତାହା କରିଛୁ, ଯେବେ ତାଙ୍କୁ ଟେଷ୍ଟ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଗଲା । ଗିଲ ଅଧିନାୟକ ଭାବେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ସିରିଜରେ ଦମଦାର ବ୍ୟାଟିଂ କରିଥିଲେ । ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ସିରିଜ ୨-୨ରେ ବରାବର କରି ପାରିଛି ।
ସୂଚନାଯୋଗ୍ୟ, ଗମ୍ଭୀରଙ୍କ ଦଳ ଚୟନ ନେଇ ଆପଣଉଥିବା ନୀତିକୁ ଅନେକ କ୍ରିକେଟ୍ ସମୀକ୍ଷକ ନାପସନ୍ଦ କରି ସାରିଛନ୍ତି । ତାଙ୍କ ଉପରେ ଖେଳାଳିଙ୍କ ସହ ପାତର ଅନ୍ତର କରୁଥିବାର ଅଭିଯୋଗ ରହିଛି । ସଞ୍ଜୁ ସାମସନଙ୍କୁ ବାହାରେ ବସାଇ ଗିଲଙ୍କୁ ଯେଉଁଭଳି ଭାବେ ସୁଯୋଗ ପରେ ସୁଯୋଗ ଦିଆଯାଉଛି ତାକୁ ନେଇ ଗମ୍ଭୀରଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।
Also read: ଟି-୨୦ ବିଶ୍ୱକପ୍ ପାଇଁ ଭେନ୍ୟୁ ଚୂଡାନ୍ତ, ଅହମ୍ମଦାବାଦ-କୋଲକାତାରେ ଖେଳାଯିବ ସେମି ଫାଇନାଲ୍