ନୂଆପଡ଼ା: ଆସନ୍ତାକାଲି ନୂଆ ବିଧାୟକ ବାଛିବେ ନୂଆପଡ଼ା ବାସିନ୍ଦା । ଆଉ ଶୁଭୁନି ନିର୍ବାଚନୀ ଗୀତ କିମ୍ବା ବାଜୁନି ବାଜା କି ଫୁଟୁନି ବାଣି । ନୀରବ ହୋଇଛି ନୂଆପଡ଼ା । ଏବେ ମତଦାନ ଏବଂ ଫଳାଫଳକୁ ଅପେକ୍ଷା । ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଆର୍.ଏସ୍ ଗୋପାଳନଙ୍କ ସୂଚନା ମୁତାବକ ଆସନ୍ତାକାଲି ୭ଟାରେ ପଡ଼ିବ ଭୋଟ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଁଚିଛି ।
ଚଳିତ ଉପ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଛି । ବିଜେପିରୁ ଜୟ ଢୋଲକିଆ, ବିଜେଡ଼ିରୁ ସ୍ନେହାଙ୍ଗୀନୀ ଛୁରିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ ମଇଦାନକୁ ଓହ୍ଲାଇଛନ୍ତି । ଏଥିପାଇଁ ଜୋରଦାର ପ୍ରଚାର କରାଯାଇଛି । ବିଜେପି ଓ କଂଗ୍ରେସ ତାର ରାଜ୍ୟ ଏବଂ ଜାତୀୟ ସ୍ତରର ନେତାଙ୍କୁ ପ୍ରଚାର ଦାୟିତ୍ୱ ଦେଇଥିଲା । ସେହିପରି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିଛନ୍ତି । ଗତକାଲି ପ୍ରଚାର ଶେଷ ହୋଇଛି ।
୩୫୮ଟି ମତ ଦାନ କେନ୍ଦ୍ର
ସେହିପରି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମତଦାନ ପାଇଁ ବ୍ୟାପକ ପ୍ରସ୍ତୁତ ହୋଇଛି । ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ମୋଟ ୩୫୮ଟି ମତ ଦାନ କେନ୍ଦ୍ର ରହିଛି । ପୋଲିଂ ପାର୍ଟିମାନେ ବିଭିନ୍ନ ବୁଥକୁ ଗସ୍ତ କରିବା ଆରମ୍ଭ କରିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ପୋଲିଂ ପାର୍ଟୀ ନିର୍ଦ୍ଧାରିତ ବୁଥରେ ପହଁଚିବେ । ଏଥିମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ୪୭ଟି ସମ୍ବେଦନଶୀଳ ମାଓ ପ୍ରବଣ ଅଞ୍ଚଳରେ ରହିଥିବାରୁ ସେହିବୁଥ ଗୁଡ଼ିକରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ । ଅନ୍ୟସମସ୍ତ ବୁଥଗୁଡ଼ିକରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ମତଦାନ ଚାଲିବ । ମାଓ ପ୍ରବଣ ବୁଥ ଗୁଡ଼ିକ ହେଲା ୧୪୫ ରୁ ୧୫୦, ୧୫୨ ରୁ ୧୫୪, ୧୫୮ ରୁ ୧୬୦, ୧୬୨ ରୁ ୧୬୫, ୧୭୨, ୧୭୩, ୧୯୧ ରୁ ୧୯୩, ୨୧୨ ରୁ ୨୨୩, ୨୫୪, ୨୫୫, ୨୬୮ ରୁ ୨୭୧, ୩୦୬ ଓ ୩୦୭, ୩୧୯ ରୁ ୩୩୧, ୩୫୫ ଓ ୩୫୮ ନଂ ବୁଥ ।
ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି
ସେହିପରି ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ଉକ୍ତ ବୁଥଗୁଡ଼ିକ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିବୁଥ ପାଇଁ ବାୟୁସେନା ପକ୍ଷରୁ ସ୍ୱତନ୍ତ୍ର ହେଲିକପ୍ଟର୍ ନିୟୋଜିତ କରାଯାଇଛି । ଗୋତମା ଏୟାରପୋର୍ଟରୁ ପୋଲିଂ ପାର୍ଟି ମାଓପ୍ରବଣ ଅଞ୍ଚଳକୁ ବାୟୁସେନାର ହେଲିକପ୍ଟରରେ ଗସ୍ତ କରିଛନ୍ତି । ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀରେ ୧୪ ପ୍ଲାର୍ଟୁନ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି ।
୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା
ନୂଆପଡ଼ାରେ ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ନେତା ବାଛିବେ । ସେମାନଙ୍କ ମଧ୍ୟରୁ ପୁରୁଷ ୧ ଲକ୍ଷ ୨୪ ହଜାର ୧୦୮ ଜଣ, ମହିଳା ୧ ଲକ୍ଷ ୨୯ ହଜାର ୪୯୫, ବରିଷ୍ଠ ନାଗରିକ ୧୭୮୬ ଜଣ, ଯୁବ ଭୋଟର ୯୪୨୯ ଏବଂ ଭିନ୍ନକ୍ଷମ ମତଦାତା ୩୯୮୮ ରହିଛନ୍ତି ।