ଭୁବନେଶ୍ୱର: ଆଜି ଓଡ଼ିଶା ପାଳୁଛି ମାଣ୍ଡିଆ ଦିବସ । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି । ରାଜ୍ୟ, ଦେଶ ତଥା ବିଦେଶରେ ମାଣ୍ଡିଆର ବହୁଳ ପ୍ରଚାର ପ୍ରସାର ସହ ଏହାର ଉପକାରିତା ବିଷୟରେ ସାରା ବିଶ୍ୱରେ ମାଣ୍ଡିଆକୁ ମିଳିଛି ସ୍ୱତନ୍ତ୍ର ପରିଚୟ । ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ପୋଷକ ତତ୍ତ୍ବରେ ଭରପୁର ରହିଛି ମାଣ୍ଡିଆ । ମାଣ୍ଡିଆକୁ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚାଇବା ସହ ପୂରା ବିଶ୍ବରେ ଏହାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମାଣ୍ଡିଆ ଦିବସ ପାଳନ କରୁଛି ଓଡ଼ିଶା ।
ଏହି ଅବସରରେ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ । ମିଲେଟ୍ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ‘ମାଣ୍ଡିଆ ଦିବସ’ରେ ଯୋଗଦେବା ସହିତ ଚାଷୀଙ୍କ ସହିତ ଆଲୋଚନା ଏବଂ କ୍ଷେତ୍ର ପରିଦର୍ଶନ କରିବେ କେନ୍ଦ୍ର କୃଷି ମନ୍ତ୍ରୀ । ଏହାଛଡ଼ା ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା, ଡାଲି ମିଶନ ଏବଂ ପ୍ରାକୃତିକ କୃଷି ଉପରେ ଜାତୀୟ ମିଶନର ପ୍ରଭାବଶାଳୀ କାର୍ଯ୍ୟକାରିତା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ମଧ୍ଯ ରହିଛି ।
ରାଜ୍ୟର ୭ ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ମିଲେଟ ମିଶନ ଏବେ ୩୦ ଜିଲ୍ଲାର ୧୭୭ଟି ବ୍ଲକରେ କାର୍ଯ୍ୟକାରୀ ହେଉଛି ।ଏହା ସହ ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର । ୧୫ଟି ଜିଲ୍ଲାରେ ରାସନରେ ମାଣ୍ଡିଆ ପ୍ରଦାନ କରାଯାଉଛି । ଏହାସହ ପ୍ରତି ଖାଦ୍ୟ ଥାଳିରେ ମାଣ୍ଡିଆକୁ ସାମିଲ କରିବା ପାଇଁ ସ୍କୁଲର ମଧ୍ୟାହ୍ନଭୋଜନ, ଡାକ୍ତରଖାନା କ୍ୟାଣ୍ଟିନ, ସରକାରୀ କାର୍ଯ୍ୟାଳୟ ଓ ବୈଠକ, ହୋଟେଲ ମାନଙ୍କରେ ମାଣ୍ଡିଆକୁ ସାମିଲ କରାଯାଉଛି । ପୋଷକତତ୍ତ୍ବରେ ଭରା ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ପ୍ରଥମ ରାଜ୍ୟଭାବେ ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରୁଛି ।
ଅଧିକ ପଢନ୍ତୁ : ନଭେମ୍ବରରେ ବି ନାହିଁ ଶୀତ, ଚଳିତ ବର୍ଷ ଡେରିରେ ଆସି ଶୀଘ୍ର ଫେରିଯିବ ଶୀତ