ନୂଆଦିଲ୍ଲୀ: ପୁଣି ଥରେ ବଡ଼ ବିସ୍ଫୋରଣରେ ଥରି ଉଠିଛି ଜାତୀୟ ରାଜଧାନୀ ନୂଆଦିଲ୍ଲୀ । ଲାଲକିଲ୍ଲା ନିକଟରେ ମେଟ୍ରୋ ଗେଟ୍ ନିକଟରେ ଏକ କାର୍ ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣର କମ୍ପନ ଏତେ ତୀବ୍ର ଥିଲା ଯେ ମେଟ୍ରୋ ଷ୍ଟେସନ ଏବଂ ନିକଟରେ ଥିବା ଗାଡ଼ିରେ କାଚ ଭାଙ୍ଗି ଯାଇଛି । ଏଥିରେ ଆତଙ୍କାବାଦୀଙ୍କ ହାତ ଅଛି କି ନାହିଁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଦିଲ୍ଲୀ ଧମାକା ପରେ ମୁମ୍ବାଇ ଏବଂ ଉତ୍ତର ପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଧାର୍ମିକ ସ୍ଥଳ, ବଜାର, ଭିଡ଼ ସ୍ଥାନ, ବିମାନ ବନ୍ଦର ଏବଂ ରେଳ ଷ୍ଟେସନ ଭଳି ସ୍ଥାନ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପାଟ୍ରୋଲିଂ ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ଏହା ସହିତ ଡ୍ରୋନ୍ ସାହାଯ୍ୟରେ ଭିଡ଼ ସ୍ଥାନରେ ଗୁଡ଼ିକରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷରେ ମୁମ୍ବାଇରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପାଟ୍ରୋଲିଂ ଜୋରଦାର କରାଯିବା ସହିତ ନାକାବନ୍ଦୀ କରାଯାଇଛି । ରେଳ ଷ୍ଟେସନ୍, ଧାର୍ମିକ ସ୍ଥଳ ଏବଂ ସାର୍ବଜାନିକ ସ୍ଥାନ ଗୁଡ଼ିକରେ ସୁରକ୍ଷା ବଢ଼ାଇ ଦିଆଯାଇଛି । କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନ ଘଟେ ସେଥିପ୍ରତି କଡ଼ା ନଜର ରଖାଯାଇଛି ।
ଆଜି ସନ୍ଧ୍ୟା ପ୍ରାୟ ୬ଟା ୫୨ ମିନିଟ୍ ସମୟରେ ଲାଲକିଲ୍ଲା ମେଟ୍ରୋ ଗେଟ୍ ନମ୍ବର ୧ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏକ ଇକୋ ଭ୍ୟାନରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ନିକଟରେ ଅନ୍ୟ ୩ଟି କାରରେ ନିଆଁ ଲାଗିଯାଇଥିଲା।
ଏଠାରେ ଉଲ୍ଲେଖ ଯୋଗ୍ୟ, ଦିଲ୍ଲୀରେ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଇଏମ୍) ଏବଂ ଅଂସର ଗଜବାତ-ଉଲ-ହିନ୍ଦର ସହିତ ଜଡ଼ିତ ଆନ୍ତଃରାଜ୍ୟ ଏବଂ ଅନ୍ତର୍ଜାତୀୟ ମଡ୍ୟୁଲର ପର୍ଦ୍ଦଫାସ୍ ହୋଇଥିଲା । ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୨ ଜଣ ଡାକ୍ତରଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀର ଫରିଦାବାଦରେ ରହୁଥିବା ଡାକ୍ତର ମୁଜାମିଲ ଅହମ୍ମଦ ଗନଈର ଘରୁ ମୋଟ ୨,୯୦୦ କିଲୋଗ୍ରାମ ଆଇଇଡି ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଏକେ-୫୬ ରାଇଫଲ୍, ଏକେ କ୍ରିନକୋଭ୍, ବରେଟା ପିସ୍ତଲ, ଚାଇନା ଷ୍ଟାର୍ ପିସ୍ତଲ ଏବଂ କାରତୁସ ମିଳିଛି । ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀନଗରର ଆରିଫ ନିସାର ଡାର୍ ଓରଫ୍ ସାହିଲ, ୟାସିର-ଉଲ୍-ଅସରଫ୍ ଓ ମକସୁଦ ଅହମ୍ମଦ ଡାର୍ ଓରଫ୍ ଶାହିଦ, ଶୋପିୟାଁ ମୌଲବୀ ଇରଫାନ୍ ଅହମ୍ମଦ, ଗନ୍ଦରବାଲ ଜମୀର ଅହମ୍ମଦ ଅହାଂଗର, ପୁଲୱାମା ଡାକ୍ତର ମୁଜାମିଲ ଅହମଦ ଗନଈ ଏବଂ କୁଲଗାମ ଡାକ୍ତର ଆଦିଲ । ପୋଲିସ ମୁତାବକ ‘ହ୍ୱାଇଟ୍ କଲର୍ ଟେରର୍’ ନେଟୱାର୍କ ଅଟେ, ଯେଉଁଥିରେ ଚାକିରିଆ ଏବଂ ଛାତ୍ର ସାମିଲ ଥିଲେ । ଅକ୍ଟୋବର ୧୯ରେ ଶ୍ରୀନଗର ବୁନପୋରା ନୌଗାମ ଅଞ୍ଚଳରେ ଜୈଶ-ଏ-ମହମ୍ମଦ ପୋଷ୍ଟର ମିଳିବା ପରେ ମାମଲା ରୁଜୁ ହୋଇଥିଲା । ଯାଞ୍ଚରୁ ଜଣାପଡ଼ିଥିଲା ଯେ ଏହା ନେଟୱାର୍କ କେବଳ ଜମ୍ମୁ କାଶ୍ମୀରରେ ସୀମିତ ନ ଥିଲା ବରଂ ହରିୟାଣା ଏବଂ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଛି ।