ନୂଆଦିଲ୍ଲୀ: ପ୍ରସିଦ୍ଧ ତିରୁପତି ମନ୍ଦିର ଲଡୁରେ ଚର୍ବି ମିଶ୍ରଣ କରାଯାଉଥିବା ମାମଲା ବର୍ତ୍ତମାନ ଭିନ୍ନ ମୋଡ଼ ନେଇଛି । ଏଥିରେ ଲକ୍ଷ ଲକ୍ଷ ଟଙ୍କାର ଆର୍ଥିକ କରାଯାଇଥିବା ସାମ୍ନାକୁ ଆସିଛି । ତିରୁମାଲା ତିରୁପତି ଦେବସ୍ଥାନମ୍ସ ଲଡୁ ଘିଅ ଅପମିଶ୍ରଣ ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଦିଲ୍ଲୀର ରାସାୟନିକ ବ୍ୟବସାୟୀ ଅଜୟ କୁମାର ସୁଗନ୍ଧକୁ ଗିରଫ କରିଛି । ତାଙ୍କ ଉପରେ ଭୋଲେବାବା ଡେରୀ ନେଟୱାର୍କ ସହିତ ଜଡିତ ଭେଜାଲ ଘିଅ ପ୍ରସ୍ତୁତି ପାଇଁ ବ୍ୟବହୃତ ରାସାୟନିକ ପଦାର୍ଥ ଯୋଗାଣ କରିବାର ଅଭିଯୋଗ ରହିଛି ।
ତିରୁପତି ମନ୍ଦିରକୁ କରାଯାଉଥିବା ଘିଅ ଯୋଗାଣରେ ୫୦ ଲକ୍ଷ ଟଙ୍କାର କାରବାର ହୋଇଛି । ତିରୁପତି ମନ୍ଦିର ଟ୍ରଷ୍ଟର ପୂର୍ବତନ ଅଧ୍ୟକ୍ଷ ୱାଇ.ଭି. ସୁବ୍ବା ରେଡ୍ଡିଙ୍କ ସହାୟକ କେ. ଚିନ୍ନାପ୍ପାନ୍ନାଙ୍କୁ ଏହି ଅର୍ଥ ରାଶି ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଛି । ୱାଇ.ଭି. ସୁବ୍ବା ରେଡ୍ଡି ସେତେବେଳେ ଲୋକସଭା ସାଂସଦ ଥିଲେ ଏବଂ ବର୍ତ୍ତମାନ ରାଜ୍ୟସଭା ସଦସ୍ୟ ଅଛନ୍ତି । ତାଙ୍କ ବ୍ୟକ୍ତିଗତ ସହାୟକ କେ. ଚିନ୍ନାପ୍ପାନ୍ନାଙ୍କୁ ୫୦ ଲକ୍ଷ ନଗଦ ଟଙ୍କା ପାଇଥିଲେ। ଏହି ଟଙ୍କା ଉତ୍ତର ପ୍ରଦେଶର କମ୍ପାନୀ, ଏଗ୍ରି ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଏଜେଣ୍ଟମାନଙ୍କ ମାଧ୍ୟମରେ ଦିଆଯାଇଥିଲା । ଦିଲ୍ଲୀର ଜଣେ ଏଜେଣ୍ଟ ଅମନ ଗୁପ୍ତା ତାଙ୍କୁ ୨୦ ଲକ୍ଷ ଦେଇଥିଲେ। କମ୍ପାନୀର ଅନ୍ୟ ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଗୁପ୍ତା ବାକି ଟଙ୍କା ପ୍ରଦାନ କରିଥିଲେ। ଉଭୟ କାରବାର ଦିଲ୍ଲୀର ପଟେଲ ନଗର ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିଲା।
ଗତ ବର୍ଷ ଏହି ମାମଲା ପ୍ରସାଦର ପବିତ୍ରତାକୁ ବିପଦରେ ପକାଇବାର ଅଭିଯୋଗ ସହିତ ଯଥେଷ୍ଟ ବିବାଦ ସୃଷ୍ଟି କରିଥିଲା। ଯେତେବେଳେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଲା ସେତେବେଳେ ସୁପ୍ରିମକୋର୍ଟ ସିବିଆଇ, ରାଜ୍ୟ ପୋଲିସ ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀମାନଙ୍କୁ ନେଇ ଏକ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ତଦନ୍ତରୁ ଅନେକ ଆଶ୍ଚର୍ୟ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା। ତଦନ୍ତରୁ ଜଣାପଡିଥିଲା ଯେ ଲଡୁ ପାଇଁ ଘିଅ ଯୋଗାଣରେ ଚାରୋଟି କମ୍ପାନୀ ଯଥା ଭୋଲେ ବାବା ଅର୍ଗାନିକ୍ ଡେରି ମିଲ୍କ ପ୍ରାଇଭେଟ୍ ଲିମିଟେଡ୍, ଶ୍ରୀ ବୈଷ୍ଣବୀ ଡେରି, ମାଲଗଙ୍ଗା ମିଲ୍କ ଏଣ୍ଡ୍ ଏଗ୍ରୋ ପ୍ରଡକ୍ସ ଓ ଏଆର୍ ଡେରି ଫୁଡସ୍ ସାମିଲ ଥିଲେ। ଏହି କମ୍ପାନୀଗୁଡ଼ିକ ଡକ୍ୟୁମେଣ୍ଟରେ ହେରଫେର କରିଥିଲେ ଏବଂ ଟେଣ୍ଡର ହାସଲ କରିବା ପାଇଁ ମୂଲ୍ୟରେ ହେରଫେର କରିଥିଲେ । ଏସଆଇଟି ତଦନ୍ତରୁ ଜାଣିବାକୁ ପାଇଛି ଯେ, ଭୋଲେ ବାବା ଅର୍ଗାନିକ ଡେରୀର କମ୍ପାନୀର ଦୁଇ ମାଲିକ ପୋମିଲ୍ ଜୈନ ଏବଂ ବିପିନ ଜୈନ ଉତ୍ତରାଖଣ୍ଡର ଭଗବାନପୁରରେ ଏହି କମ୍ପାନୀ ସ୍ଥାପନ କରିଛନ୍ତି । କିନ୍ତୁ ଏହି କମ୍ପାନୀ ଆଜି ଯାଏ ଗୋଟିଏ ବୁନ୍ଦା କ୍ଷୀର କିମ୍ବା ଘିଅ ପ୍ରସ୍ତୁତ କରିନାହିଁ । କିନ୍ତୁ ଏହି କମ୍ପାନୀ ୨୦୧୯ରୁ ୨୦୨୪ ମଧ୍ୟର ତିରୁମାଲା ତିରୁପତି ଦେବସ୍ଥାନମ୍ସକୁ ୬୮ ଲକ୍ଷ କିଲୋଗ୍ରାମ ଘିଅ ଦେଇଛି ।
ତଦନ୍ତରୁ ଜଣାପଡିଛି ଯେ ୬୦.୩୭ ଲକ୍ଷ କିଲୋଗ୍ରାମ ଘିଅ ୨୪୦.୮ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ଏହି ଘିଅ ବିଶେଷ ଭାବରେ ଭୋଲେ ବାବା ଅର୍ଗାନିକ୍ ଡେରି ମିଲ୍କ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଉତ୍ପାଦିତ ହୋଇଥିଲା। ଏଥିରେ ପାମ୍ ତେଲ ଏବଂ ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଇଥିଲା। ଏହି ଘିଅକୁ ଭୋଲେ ବାବା ଅର୍ଗାନିକ୍ ଡେରି ମିଲ୍ପ କମ୍ପାନୀ ରୁଡ଼କୀ ସ୍ଥିତ ପ୍ଲାଣ୍ଟରେ ପ୍ରସ୍ତୁତ କରିଥିଲା । ଏହା ପରେ ଏହି ଘିଅକୁ ଅନ୍ୟ ତିନୋଟି କମ୍ପାନୀ ଶ୍ରୀ ବୈଷ୍ଣବୀ ଡେରି ୧୩୩. ୧୨ କୋଟି ଟଙ୍କା, ମାଲଗଙ୍ଗା ମିଲ୍କ ଏଣ୍ଡ୍ ଏଗ୍ରୋ ପ୍ରୋଡକ୍ସ ୭୩.୧୮ କୋଟିରେ ଟଙ୍କା ଏବଂ ଏଆର୍ ଡେରି ଫୁଡସ୍ ୧. ୬୧ କୋଟି ଟଙ୍କାରେ ସପ୍ଲାଏ କରିଥିଲେ ।
ମଇଶୁର ସ୍ଥିତି ସେଣ୍ଟ୍ରାଲ୍ ଫୁଡ୍ ଟେକ୍ନୋଲୋଜି ରିସର୍ଚ୍ ଇନଷ୍ଟିଚ୍ୟୁଟ୍ ଏହି ଅପମିଶ୍ରଣ ପ୍ରସଙ୍ଗ ଉଠାଇ ଥିଲା । ତଥାପି ୨୦୨୪ ପର୍ଯ୍ୟନ୍ତ ସପ୍ଲାଏ ଚାଲୁ ରହିଥିଲା । ଅପମିଶ୍ରଣ ଅଭିଯୋଗ ଆସିବା ପରେ ମଧ୍ୟ କାହିଁକି ଘିଅ ସପ୍ଲାଏ ହେଉଥିଲା ତା ଉପରେ ମଧ୍ୟ ବର୍ତ୍ତମାନ ପ୍ରଶ୍ନ ଉଠିଛି ।