ନୂଆଦିଲ୍ଲୀ: ଏକ ବଡ଼ ଆତଙ୍କବାଦୀ ଆକ୍ରମଣରୁ ଆମ ଦେଶ ବର୍ତ୍ତିଯାଇଛି । ଜମ୍ମୁ କାଶ୍ମୀର ପୋଲିସ ଏବଂ ଅନ୍ୟ ରାଜ୍ୟର ପୋଲିସ ଟିମର ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇପାରିଛି । ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଇଏମ୍) ଏବଂ ଅଂସର ଗଜବାତ-ଉଲ-ହିନ୍ଦର ସହିତ ଜଡ଼ିତ ଆନ୍ତଃରାଜ୍ୟ ଏବଂ ଅନ୍ତର୍ଜାତୀୟ ମଡ୍ୟୁଲର ପର୍ଦ୍ଦଫାସ୍ ହୋଇଛି । ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୨ ଜଣ ଡାକ୍ତରଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି । ଫଳରେ ଦେଶରେ ହେବାକୁ ଥିବା ବଡ଼ ଆତଙ୍କବାଦୀ ଆକ୍ରମଣକୁ ଏଡ଼ାଇ ଦିଆଯାଇଛି ।
ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ଗିରଫ ଆତଙ୍କବାଦୀଙ୍କ ନିକଟରୁ ମୋଟ ୨,୯୦୦ କିଲୋଗ୍ରାମ ଆଇଇଡି ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଜମ୍ମୁ ପୋଲିସ ଏବଂ ଫରିଦାବାଦ ପୋଲିସର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇପାରିଛି । ଗିରଫଙ୍କ ମଧ୍ୟରେ ଥିବା ଦୁଇ ଡାକ୍ତର ହେଲେ ଫରିଦାବାଦର ଡାକ୍ତର ମୁଜାମିଲ ଅହମ୍ମଦ ଗନଈ ଏବଂ କୁଲଗାମର ନିବାସୀ ଡାକ୍ତର ଆଦିଲ । ଏମାନେ ବିଦେଶୀ ସଂସ୍ଥା ସହିତ ସମ୍ପର୍କରେ ଥିଲେ । ସମାଜ ସେବା ଏବଂ ଶିକ୍ଷା ନାମରେ ଏମାନେ ଅର୍ଥ ଯୋଗାଣ କରୁଥିଲେ । ପୋଲିସ ଏବେ ୨,୫୬୩ କିଲୋଗ୍ରାମ ବିସ୍ଫୋରକ ଜବତ କରିଛି । ଡାକ୍ତର ମୁଜାମିଲ ମଧ୍ୟ ଭଡା ନେଇଥିବା ଏହି ଘରଟି ଧୋଜରୁ ୪ କିଲୋମିଟର ଦୂରରେ ଫତେପୁର ତାଗା ଗାଁରେ ଅବସ୍ଥିତ । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଉଦ୍ଧାର ସାମଗ୍ରୀ ଆମୋନିୟମ୍ ନାଇଟ୍ରେଟ୍ ହୋଇପାରେ। ପୂର୍ବରୁ ଡାକ୍ତର ମୁଜାମିଲ ଅହମଦ ଗନଈ ଫରିଦାବାଦ ଭଡ଼ା ଘରୁ ୩୬୦ କିଲୋଗ୍ରାମ ଆମୋନିୟମ ନାଇଟ୍ରେଟ୍, ଏକେ-୫୬ ରାଇଫଲ୍, ଏକେ କ୍ରିନକୋଭ୍, ବରେଟା ପିସ୍ତଲ, ଚାଇନା ଷ୍ଟାର୍ ପିସ୍ତଲ ଏବଂ କାରତୁସ ମିଳିଛି । ଏହା ସହିତ ଆହୁରି ୫୦ ବସ୍ତା ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ୩୬୦ କିଲୋଗ୍ରାମ ଆମୋନିୟମ ନାଇଟ୍ରେଟ୍ ପ୍ରାୟ ୧୦୦ ମିଟର୍ ପରିଧି ମଧ୍ୟରେ ବିସ୍ଫୋରଣ କରିବାର କ୍ଷମତା ରଖିଥାଏ ।
ଏହା ସହିତ ଅନ୍ୟମାନେ ହେଲେ ଶ୍ରୀନଗରର ଆରିଫ ନିସାର ଡାର୍ ଓରଫ୍ ସାହିଲ, ୟାସିର-ଉଲ୍-ଅସରଫ୍ ଓ ମକସୁଦ ଅହମ୍ମଦ ଡାର୍ ଓରଫ୍ ଶାହିଦ, ଶୋପିୟାଁ ମୌଲବୀ ଇରଫାନ୍ ଅହମ୍ମଦ, ଗନ୍ଦରବାଲ ଜମୀର ଅହମ୍ମଦ ଅହାଂଗର, ପୁଲୱାମା ଡାକ୍ତର ମୁଜାମିଲ ଅହମଦ ଗନଈ ଏବଂ କୁଲଗାମ ଡାକ୍ତର ଆଦିଲ । ପୋଲିସ ମୁତାବକ ‘ହ୍ୱାଇଟ୍ କଲର୍ ଟେରର୍’ ନେଟୱାର୍କ ଅଟେ, ଯେଉଁଥିରେ ଚାକିରିଆ ଏବଂ ଛାତ୍ର ସାମିଲ ଥିଲେ ।
ଅକ୍ଟୋବର ୧୯ରେ ଶ୍ରୀନଗର ବୁନପୋରା ନୌଗାମ ଅଞ୍ଚଳରେ ଜୈଶ-ଏ-ମହମ୍ମଦ ପୋଷ୍ଟର ମିଳିବା ପରେ ମାମଲା ରୁଜୁ ହୋଇଥିଲା । ଯାଞ୍ଚରୁ ଜଣାପଡ଼ିଥିଲା ଯେ ଏହା ନେଟୱାର୍କ କେବଳ ଜମ୍ମୁ କାଶ୍ମୀରରେ ସୀମିତ ନ ଥିଲା ବରଂ ହରିୟାଣା ଏବଂ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଛି ।