ନୂଆଦିଲ୍ଲୀ: ଥର ଓ ବୁଲେଟ୍ ଚଲାଉଥିବା ସବୁ ଲୋକ ବଦମାସ । ଏମିତି ବୟାନ ଦେଇଛନ୍ତି ହରିୟାଣାର ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓପି ସିଂ । ସେ ଥର ଗାଡି ଚଲାଉଥିବା ଲୋକଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଥର ଚାଲକଙ୍କ ମାନସିକତାକୁ ନେଇ କହିଛନ୍ତି, ଯେଉଁମାନେ ଏହି ଗାଡି ଚଲାଉଛନ୍ତି, ସେମାନଙ୍କ ମସ୍ତିଷ୍କ ବିଗିଡି ଯାଇଛି ।
ଡିଜିପି କହିଛନ୍ତି, ସଂପ୍ରତି ଥର ଓ ବୁଲେଟ୍ ଗାଡି ଚଲାଉଥିବା ସବୁ ବଦମାସ । ଯେଉଁଭଳି ଗାଡିର ଚୟନ କରାଯାଉଛି ସେଥିରେ ଆପଣଙ୍କ ମାନସିକତା ଜଣା ପଡୁଛି । ଥର ଦେଖନ୍ତୁ । ଯେଉଁମାନେ ଏହି ଗାଡି ଚଲାଉଛନ୍ତି ସେମାନେ ରାସ୍ତାରେ ଷ୍ଟଣ୍ଟ କରୁଛନ୍ତି । ଦ୍ରୁତ ଗତିରେ ଚଲାଉଛନ୍ତି । ରାସ୍ତାରେ ଲୋକଙ୍କ ଯିବା ଆସିବା ପ୍ରତି ସେମାନଙ୍କର ନିଘା ନାହିଁ । ଆମର ଜଣେ ଏସିପିଙ୍କ ପୁଅ, ସେ ତ ଥର ଗାଡିକୁ ଅନ୍ୟ ଉପରେ ଚଢାଇ ଦେଲେ । ଏବେ ଏସିପି ଅନୁରୋଧ କରୁଛନ୍ତି ମୋ ପୁଅକୁ ଛାଡି ଦିଅନ୍ତୁ । ପଚାରିଲି କାହା ନାଁରେ ଗାଡି ରହିଛି । ଅଧିକାରୀ କହୁଛନ୍ତି ମୋ ନାମରେ । ତେଣୁ ଆମର ଏସିପି ହିଁ ବଦମାସ ।
ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଦାଦାଗିରି କରୁଥିବା ଲୋକଙ୍କୁ ପୋଲିସ ଛାଡିବ ନାହିଁ । ଏବେ ତାଲିକା ବାହାର କଲେ ଜଣା ପଡିବ କାହା ପାଖରେ ଏହି ଗାଡି ଅଛି ଏବଂ ସେମାନଙ୍କର ମାନସିକତା ଜଣା ପଡିବ । ଥର ଗାଡି ଚଲାଉଥିବା ଲୋକେ ଜଣାଇ ଦିଅନ୍ତି ଯେ, ଆମେ ଏମିତି ଏବଂ ଆମ ପ୍ରକୃତି ବି ସେମିତି । କିଏ କଣ ଆମର କରିବ କର । ଏମିତିରେ ଦାଦାଗିରି କରିବ, ପୁଣି ତୁମମାନଙ୍କ ଉପରେ ଆକ୍ସନ ହେବନି ଏହା ତ ସମ୍ଭବ ନୁହେଁ ବୋଲି ହରିୟାଣା ଡିଜିପି କହିଛନ୍ତି ।
Also read: ୧୯୭୧ ପରେ ପ୍ରଥମ ଥର ବାଂଲାଦେଶରେ ଲାଗିଲା ପାକ୍ ଜାହାଜ, ଭାରତ ପାଇଁ ବଢ଼ିଲା ଚିନ୍ତା