ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ। ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ନେଇ ସମ୍ପ୍ରତି ଖବର ଆସିଥିଲା। ହେଲେ ତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି ଯେ, ଧର୍ମେନ୍ଦ୍ର ବର୍ତମାନ ହସ୍ପିଟାଲରେ ଅଛନ୍ତି, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ଉନ୍ନତି ହେଉଛି। ଏହି ଖବର ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ବସ୍ତି ଆଣିଦେଇଛି।
ଧର୍ମେନ୍ଦ୍ର ଭେଣ୍ଟିଲେଟର ଥିବା ଖବରକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ଟିମ୍ କହିଛି ଯେ, ତାଙ୍କୁ କେବଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି, କିନ୍ତୁ ଚିନ୍ତା କରିବାର କିଛି ନାହିଁ।" ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରଶଂସକମାନେ ଚିନ୍ତିତ, କାରଣ ସୋସିଆଲ ମିଡିଆରେ ଗୁଜବ ବ୍ୟାପିଛି ଯେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତଥାପି, ଧର୍ମେନ୍ଦ୍ରଙ୍କ ଟିମ୍ ଏହି ରିପୋର୍ଟକୁ ଖଣ୍ଡନ କରି କହିଛନ୍ତି ଯେ ଅଭିନେତାଙ୍କୁ ଶୀଘ୍ର ଆରୋଗ୍ୟ ପାଇଁ ଭଗବାନଙ୍କ ପାର୍ଥନା କରନ୍ତୁ, ଗୁଜବ ଠୁ ଦୁରେଇ ରୁହନ୍ତୁ।
୮୯ ବର୍ଷ ବୟସରେ ସେ ଏବେ ବି ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ତାଙ୍କୁ ସମ୍ପ୍ରତି "ରକି ଔର ରାନୀ କି ପ୍ରେମ କାହାଣୀ" ରେ ଦେଖିବାକୁ ମିଳିଥିଲା, ଏବଂ ତା'ପରେ "ତେରୀ ବାଚେଁ ମେଁ ଐସା ଉଲଜା ଜିୟା" ରେ ମଧ୍ୟ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ତାଙ୍କର ଅଭିନୟ ଦ୍ବାରା ଦର୍ଶକଙ୍କୁ ମୋହିତ କରିଥିଲେ। ସେ ଅଗସ୍ତ୍ୟ ନନ୍ଦାଙ୍କ "ଇକ୍ସିସ୍" ରେ ମଧ୍ୟ ନଜର ଆସିବେ, ଯାହା ଡିସେମ୍ବର ୨୫ତାରିଖରେ ମୁକ୍ତିଲାଭ କରିବ। ତାଙ୍କ ପ୍ରଶଂସକମାନେ ଏବେ ସୋସିଆଲ ମିଡିଆରେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।
ଧର୍ମେନ୍ଦ୍ର ହିନ୍ଦୀ ସିନେମାର ସବୁଠାରୁ ଲୋକପ୍ରିୟ ତାରକାମାନଙ୍କ ମଧ୍ୟରୁ ଜଣେ। ଦୀର୍ଘ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ କ୍ୟାରିୟରରେ, ସେ "ଶୋଲେ", "ଚୁପକେ ଚୁପକେ", "ସୀତା ଔର ଗୀତା" ଏବଂ "ଧରମ ବୀର" ଭଳି ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କର ସଂଳାପଗୁଡ଼ିକ ଆଜି ମଧ୍ୟ ବାରମ୍ବାର ପୁନରାବୃତ୍ତି ହୁଏ।
ଅଧିକ ପଢନ୍ତୁ: ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ