ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀଙ୍କ ପ୍ରଶଂସା କରି ଚର୍ଚ୍ଚାରେ। ଗୋଟିଏ ପଟେ କଂଗ୍ରେସ ତାଙ୍କ ବୟାନଠୁ ଦୂରେଇ ଯାଇଥିବା ବେଳେ ଅନ୍ୟପଟେ ବିଜେପି ଥରୁରଙ୍କ ସମର୍ଥନରେ ମୁଖ୍ୟ ବିରୋଧୀ ଦଳ ଉପରେ ହମଲା କରିଛି। ବିଜେପି ତାତ୍ସଲ୍ୟ କରି କହିଛି ଯେ, କଂଗ୍ରେସକୁ ନିଜର ନାଁ ବଦଳାଇ ଇନ୍ଦିରା ନାଜି କଂଗ୍ରେସ କରି ଦେବା ଉଚିତ୍। କାରଣ ଜରୁରୀକାଳୀନ ମାନସିକତା ଓ ନାଜି ବ୍ୟହବହାର ହିଁ ସେମାନଙ୍କ ପ୍ରକୃତ ପରିଚୟ।
ଥରୁରଙ୍କ ବୟାନ ଉପରେ କଂଗ୍ରେସର ବରିଷ୍ଠ ନେତା ପବନ ଖେଡ଼ା ବୟାନ ଦେଇଥିଲେ। ଏହା ଉପରେ ପ୍ରତିକ୍ରିୟା ଦେଇ ବିଜେପିରା ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାଓ୍ଵାଲା କହିଛନ୍ତି, କଂଗ୍ରେସ ପାର୍ଟିକୁ ‘ଭାରତୀୟ ଜାତୀୟ କଂଗ୍ରେସ’ରୁ ବଦଳାଇ ‘ଇନ୍ଦିରା ନାଜି କଂଗ୍ରେସ’ କରି ଦେବା ଉଚିତ୍। କାରଣ ଏହା ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ମାନସିକତା ଓ ନାଜି ବ୍ୟବହାର ତରିକା। ଖେଡ଼ା କହିଥିଲେ ଯେ, ଥରୁର ସର୍ବଦା ନିଜର ବ୍ୟକ୍ତିଗତ ପାଇଁ ଟିପ୍ପଣୀ କରୁଛନ୍ତି। କେବଳ ଏତିକି ନୁହେଁ ଥରୁରଙ୍କ ବୟାନକୁ ସେ କଂଗ୍ରେସର ଗଣତାନ୍ତ୍ରିକ ଭାବନା ବିରୋଧୀ ବୋଲି କହିଛନ୍ତି। ଜଣେ କଂଗ୍ରେସ ସାଂସଦ ଓ ସିଡବ୍ଲ୍ୟୁସି ସଦସ୍ୟ ଭାବେ କାମ କରି ଥରୁର ଏମିତି ବୟାନ ଦେବା ଦୁର୍ଭାଗ୍ୟଜନକ।
କଂଗ୍ରେସ ନେତାଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ଦେଇ ବିଜେପି ମୁଖପାତ୍ର ପୁନାଓ୍ଵାଲା ବିରୋଧୀ ଦଳର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଆମ ସମସ୍ତଙ୍କୁ ସାର୍ବଜନୀନ ଜୀବନରେ ଶିଷ୍ଟାଚାର ବଜାୟ ରଖିବା ଉଚିତ୍। ମାତ୍ର ଏହି ଶିଷ୍ଟାଚାର ପାଇଁ କଂଗ୍ରେସ ପାର୍ଟି ଥରୁରଙ୍କ ବିରୋଧରେ ଫତଓ୍ଵା ଜାରି କରିଛି। ଏହା କଂଗ୍ରେସର ଅସହିଷ୍ଣୁ ଭାବନାକୁ ଦର୍ଶାଉଛି।
କଣ କହିଥିଲେ ଥରୁର ?
ଥରୁର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଥିଲେ, ଆଡଭାନୀଙ୍କ ଦୀର୍ଘ ସାର୍ବଜନୀନ ଜୀବନକୁ କେବଳ ଗୋଟିଏ ଘଟଣାରେ ସୀମିତ ରଖିବା ଉଚିତ୍ ନୁହେଁ। ତାଙ୍କର ଦୀର୍ଘ ସେବାକୁ ଗୋଟିଏ ଘଟଣାରେ ସୀମିତ ରଖିବା ଭୁଲ। ଯେପରି ନେହେରୁଜୀଙ୍କ କ୍ୟାରିଅର କେବଳ ଚୀନ୍ ଯୁଦ୍ଧରେ ପରାଜୟ ଦ୍ୱାରା ପରିଭାଷିତ ହୋଇନଥିଲା, କିମ୍ବା ଇନ୍ଦିରା ଗାନ୍ଧୀଙ୍କ କ୍ୟାରିଅର କେବଳ ଜରୁରୀକାଳୀନ ପରିସ୍ଥିତି ଦ୍ୱାରା ପରିଭାଷିତ ହୋଇନଥିଲା, ସେହିପରି ଆଡଭାନୀଜୀଙ୍କୁ ମଧ୍ୟ ନ୍ୟାୟ ମିଳିବା ଉଚିତ।
ଥରୁର ଆଡଭାନୀଙ୍କୁ ତାଙ୍କ ୯୮ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ଏବଂ ସାର୍ବଜନୀନ ସେବା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ସେ ଲେଖିଥିଲେ, ସମ୍ମାନୀୟ ଲାଲକୃଷ୍ଣ ଆଡଭାନୀ ଜୀଙ୍କୁ ୯୮ତମ ଜନ୍ମଦିନର ଶୁଭେଚ୍ଛା! ଜନସେବା ପ୍ରତି ତାଙ୍କର ସମର୍ପଣ, ନମ୍ରତା ଏବଂ ମହାନତା, ଏବଂ ଆଧୁନିକ ଭାରତର ଗତିପଥ ଗଠନରେ ତାଙ୍କର ଭୂମିକା ଅମିମନୀୟ। ସେ ଜଣେ ପ୍ରକୃତ ରାଜନେତା ଯାହାଙ୍କ ଜୀବନ ପ୍ରେରଣାଦାୟକ ହୋଇଆସିଛି।