ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏବଂ ଏହି ଦିନକୁ ଓଡିଆ ନବବର୍ଷ ଭାବରେ ପାଳନ କରାଯାଏ । ପ୍ରତ୍ୟେକ ଦିନ୍ଦୁ ମାନଙ୍କ ପାଇଁ ଏହା ଏକ ବଡ ପର୍ବ । ଗ୍ରହ ଚଳନରୁ ପ୍ରସ୍ତୁତ ରାଶି ଚକ୍ର ଅନୁସାରେ ଆଜି ହେଉଛି ବର୍ଷର ପ୍ରଥମ ଦିନ । ଏହି ଅବସରରେ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା କଳା କରିଛନ୍ତି । ଯେଉଁଥିରେ ସେ କୋଟିକୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିକୃତି ନିର୍ମାଣ କରିବା ସହିତ ଜୟ ଜଗନ୍ନାଥ ଓ ଓଡିଆ ନବବର୍ଷର୍ ଲେଖି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ହିନ୍ଦୁ ପରମ୍ପରା ଅନୁସାରେ ଏହି ଦିନ ଚଉରା ମୂଳରେ ଏକ ଛୋଟ ଠେକିରେ ପଣା ବାନ୍ଧି ଦିଆଯାଏ । ଯାହାକୁ ବସୁନ୍ଧରା ଠେକି କୁହାଯାଏ । ଏହି ଦିନ ଛତୁଆ , ଦହି , ଗୁଡ , କଦଳୀ ଓ ନଡିଆ କୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ କରାଯାଏ । ତେଣୁ ସୁଦର୍ଶନ ଏହି ସବୁକୁ ବାଲୁକାକଳାରେ ନିର୍ମାଣ କରିଛନ୍ତି । ତେବେ ସୁଦର୍ଶନ ଓ ତାଙ୍କ ସ୍କୁଲର ଛାତ୍ର ଛାତ୍ରୀଙ୍କୁ ଏହି ବାଲୁକାକଳା ପ୍ରସ୍ତୁତ କରିବା ପାଇଁ ୫ ଘଂଟା ସମୟ ଲାଗିଥିବା ବେଳେ ଏଥିରେ ତିନି ଟନ ବାଲି ଉପେଯାଗ କରାଯାଇଛି । ଆଉ ପୁରୀ ବେଳା ଭୂମିରେ ଏହି ସୁନ୍ଦର ବାଲୁକାକଳାକୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଛି ।