ନୂଆପଡା ଉପନିର୍ବାଚନ ମଇଦାନରେ ବିଗ୍ ଫାଇଟ୍। ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଏଥିପାଇଁ ବିଜେପି ମେଗା ସୋ ଆୟୋଜନ କରିଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସମେତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ପଦାଧିକାରୀ ଏହି ଶୋଭାଯାତ୍ରାରେ ସାମିଲ ହେବେ। ସକାଳ ସାଢ଼େ ୧୦ଟାରେ ନୂଆପଡ଼ା ଗୋତମା ଏୟାରଷ୍ଟ୍ରିପରେ ଏକ ମିଶ୍ରଣ ପର୍ବ ଆୟୋଜିତ ହେବ।
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ହଜାର ହଜାର ସମର୍ଥକଙ୍କ ଗହଣରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ। ଜୟ ଢୋଲକିଆ ୧୬ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବାର ଥିଲା । କିନ୍ତୁ ଶୁଭ ମୁହୂର୍ତ୍ତ ନଥିବାରୁ ସେ ଆଜିକୁ ଘୁଞ୍ଚାଇଥିଲେ ।
ସେପଟେ ଘର ଘର ବୁଲି ପ୍ରଚାର କରୁଥିବା କଂଗ୍ରେସ ପ୍ରାର୍ଥୀ ଘାସିରାମ ମଝୀ ମଧ୍ୟ ଶକ୍ତି ଦେଖାଇବେ। ବିଧିବଦ୍ଧ ଭାବେ ନାମାଙ୍କନ ଭରିବେ। ଦିନ ୧୧ଟାରେ ଏକ ବିଶାଳ ଶୋଭାଯାତ୍ରାରେ ଉପ ଜିଲ୍ଲାପାଳଙ୍କ ଅଫିସ୍ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିବେ ଘାସିରାମ। ତାଙ୍କ ସହ ପିସିସି ସଭାପତି ଭକ୍ତ ଚରଣ ଦାସ, ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ଏବଂ କିଛି ବିଧାୟକ ଓ କର୍ମୀ ଉପସ୍ଥିତ ରହିବେ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବି ନୂଆପଡ଼ାରେ ଦମ ଦେଖାଇବାକୁ ଯୋଜନା କରିଛନ୍ତି। ନାମାଙ୍କନ ଦାଖଲ ପରେ ପ୍ରଚାର ମଇଦାନରେ ଆରମ୍ଭ ହେବ ତ୍ରିମୁଖୀ ଲଢେଇ ।