ଭୁବନେଶ୍ୱର: ନିକଟରେ ଗନ୍ଧମାର୍ଦ୍ଧନ ପାହାଡ଼କୁ ନେଇ ରାଜନୀତି ଥମି ନ ଥିବାବେଳେ ଆଜି ଆଦିବାସୀଙ୍କ ଜଙ୍ଗଲ ଜମି ହଡ଼ପ ନେଇ ଗୃହରେ ପ୍ରଶ୍ନ ଉଠିଛି । ଆଦିବାସୀଙ୍କ ଜମିରେ ସରକାରୀ ଅନୁଷ୍ଠାନ ଗଢ଼ି ଉଠିବା ଏବଂ ଜମି ହଡ଼ପ ନେଇ ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଭାସ୍କର ମଢ଼େଇ । ଆଦିବାସୀମାନେ କିପରି ଜମି ଫେରି ପାଇବେ, ଯାହାର ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ଆଦିବାସୀଙ୍କ ଜମି କେହି ଦଖଲ କରିପାରିବେ ନାହିଁ । ଏବେ ବି କଡ଼ାକଡ଼ି ଆଇନ ରହିଛି, ସମାଜରେ କିଛି ଖଳ ପ୍ରକୃତିର ଲୋକ ଏହି ଆଇନକୁ ଉଲ୍ଲଂଘନ କରୁଛନ୍ତି । ବେଳେ ବେଳେ ଆଦିବାସୀଙ୍କ ଅଭାବକୁ ଦେଖି ଜମି ବିକ୍ରି କରିପାରିବେ । କିନ୍ତୁ ଆଦିବାସୀଙ୍କୁ ଭୂମିହୀନ କରାଯାଇପାରିବ ନାହିଁ । ଭୂ-ସଂସ୍କାର ଆଇନ ୧୯୬୦ ଅନୁସାରେ ଆଦିବାସୀ ଜମିଲେ ତାହାକୁ ବେଆଇନ ଘୋଷଣା କରାଯାଇ ଜମି ଫେରସ୍ତ କରାଯିବ । ଏହି ଭଳି ୬୫୪ ମାମଲା ବିଚାରାଧୀନ ଅଛି । ଯଦି କେହି ଆଦିବାସୀ ଜମି ଦଖଲ କରିଛନ୍ତି, ତାକୁ ମଧ୍ୟ ବେଆଇନ ଘୋଷଣା କରାଯିବ । ଏପରି ୮୮୧ ମାମଲା ବିଚାରାଧୀନ ଅଛି।
ଅନ୍ୟପକ୍ଷରେ କେହି ଅଣ ଆଦିବାସୀ ଯଦି ଆଦିବାସୀ ଜମି କିଣନ୍ତି, ତାକୁ ବି ବେଆଇନ ଘୋଷଣା କରି ଆଦିବାସୀଙ୍କୁ ଫେରସ୍ତ କରାଯିବ । ଏପରି ୧୯,୬୯୦ ମାମଲା ବିଚାରାଧୀନ ଅଛି, ବିଚାର କରିବା କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି । ସେହିପରି ଯଦି ଚଞ୍ଚକତା କରି ଆଦିବାସୀ ଜମି ନିଆଯାଇଥାଏ, ତାହାର ଆବଶ୍ୟକତାକୁ ବିଚାର କରିବା କ୍ଷମତା ଉପ ଜିଲ୍ଲାପାଳଙ୍କୁ ଦିଆଯାଇଛି ଯଦି ବିଚାର ନ ହୁଏ, ଉପ ଜିଲ୍ଲାପାଳ ଏହାକୁ ଅସିଦ୍ଧ ଘୋଷଣା କରି ପାରିବେ ।
ସେହିପରି ଆଦିବାସୀ ଜମିରେ ସରକାରୀ ବିଦ୍ୟାଳୟ ଗଢ଼ି ଉଠିବା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ବହୁ ବର୍ଷ ଆଗରୁ ଜଙ୍ଗଲ ଜମିରେ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଛି । ଶିକ୍ଷାନୁଷ୍ଠାନର ବି ଆବଶ୍ୟକତା ଅଛି । ଆଦିବାସୀଙ୍କ ଜମିର ବି ଆବଶ୍ୟକତା ରହିଛି । ତେଣୁ ଏଭଳି ସମ୍ବେଦନ ଶୀଳ ପ୍ରସଙ୍ଗ ଉପରେ ସରକାର ଆଲୋଚନା କର ପଦକ୍ଷେପ ନେବେ । କିନ୍ତୁ ଯଦି କେହି ଆଦିବାସୀଙ୍କ ଜମି ହଡ଼ପ କରିଥିବା ଅଭିଯୋଗ ଅଛି ତେବେ ବିଧାୟକ ଜଣାଇଲେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଯ
ସେହିପରି ବିଧାୟକ ଅଶ୍ୱିନୀ ପାତ୍ର ମଧ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ସରକାର ନିଜ ଟଙ୍କା ଖର୍ଚ୍ଚ କରି ଜମି କିଣି ଭୂମିହୀନଙ୍କୁ ଜମି ଦେବାର ପ୍ରାବଧାନ ଅଛି ବୋଲି ପ୍ରଶ୍ନ କରିଥିଲେ । ମନ୍ତ୍ରୀ ଉତ୍ତରରେ କହିଛନ୍ତି ଯେ ଯେଉଁମାନଙ୍କର ଜଙ୍ଗଲ ଜମିରେ ଘର ଅଛି ସେମାନଙ୍କୁ ପଟ୍ଟା ଦିଆଯାଉଛି । ଏହା ସହିତ ଯେଉଁମାନେ ଚାଷ ମଧ୍ୟ କରୁଛନ୍ତି ସେମାନଙ୍କୁ ମଧ୍ୟ ପଟ୍ଟା ପ୍ରଦାନ କରାଯିବ । ଏହା ସହିତ ନିଜ ଅଞ୍ଚଳରେ ସରକାରଙ୍କ ଅଜ୍ଞାତରେ ଥିବା ଭୂମିହୀନ ଜନଜାତିଙ୍କୁ ଚିହ୍ନଟ କରି ତଥ୍ୟ ଦେଲେ ପଟ୍ଟା ପ୍ରଦାନ କରିବେ । ସେହିପରି ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ରାଜସ୍ୱ ଜମି ଅଛି, ଜମି ପ୍ରଦାନ କରାଯିବ । ଯେତେବେଳେ ରାଜସ୍ୱ ଜମି କମ ପଡ଼ିବ ସେତେବେଳେ କିଣିବା କଥା ଚିନ୍ତା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।