ଭୁବନେଶ୍ୱର: ପୁଲିସ କମିଶନର ଏସ. ଦେବଦତ୍ତ ସିଂହ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି କଟକ ଗସ୍ତ କରିଛନ୍ତି । ସେଠାରେ ସେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ଗାଦି ମାଡ଼ି ବସିଥିବା ପୁଲିସ ଅଧିକାରୀମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । କାର୍ଯ୍ୟ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତେଇ ଦେଇଛନ୍ତି ।
ପୁଲିସ କମିଶନର ଏସ୍ . ଦେବଦତ୍ତ ସିଂହ କଟକ ଗସ୍ତ ସମୟରେ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ କେଉଁ ଅଫିସର କେତେ ଦିନ ହେବ କମିଶନରେଟ ପୁଲିସ୍ ଅଧୀନରେ କାର୍ଯ୍ୟରତ ଅଛନ୍ତି ପ୍ରଥମେ ତାହାର ରିପୋର୍ଟ ନିଆଯିବ । ଏହା ପରେ ସେମାନଙ୍କ କାର୍ଯ୍ୟକୁ ତଦାରଖ କରାଯିବ । ଯେଉଁ ଅଧିକାରୀ ଠିକ୍ ଭାବେ କର୍ତ୍ତବ୍ୟ ତୁଲାଉ ନ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ଶ୍ରୀ ସିଂହ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୪ ଘଣ୍ଟା ଲୋକଙ୍କ ସେବା କରିବା ସହ ସେମାନଙ୍କ ଅଭିଯୋଗ ଶୁଣିବା ପୁଲିସର କାମ । ଲୋକଙ୍କୁ ଉଚିତ ତ୍ୱରିତ ନ୍ୟାୟ ଦେବାକୁ ପଦକ୍ଷେପ ନିଆଯିବ । ଅଭିଯୋଗକାରୀ ଅତିଥି ସମାନ । ଯଦି କୌଣସି ବ୍ୟକ୍ତି ନିୟମ ମାନୁ ନାହାଁନ୍ତି ତାଙ୍କୁ ଆଇନ ଅଛି ବୋଲି ସିପି କହିଛନ୍ତି ।
ଅନ୍ୟପକ୍ଷରେ ଆଜି କଟକର ନୂଆ ଡିସିପି ଜଗମୋହନ ମୀନା ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଡିସିପି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପାର୍ବଣ ଋତୁ ଆରମ୍ଭ ହୋଇଯାଉଥିବାରୁ ଗୁରୁତ୍ୱ ଦିଆଯିବ ସହ ଥାନାରେ ପୋଲିସର ଆଚରଣ ଓ ବ୍ୟବହାର ସୁଧାର ଆଣିବାକୁ ଚେଷ୍ଟା କରିବୁ । ଏନେଇ ଥାନାଧିକାରୀଙ୍କୁ ସଫ୍ଟ ସ୍କିଲ ଉପରେ ପ୍ରଶିକ୍ଷଣ ଦିଆଯିବ । ମହିଳା ମାନଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ସେ ଏକଥା ମଧ୍ୟ କହିଛନ୍ତି ଯେ ମୋର ଅଫିସିଆଲ ନମ୍ବର ସହିତ ମୋର ହ୍ବାଟସ୍ଆପ ନମ୍ବର ମଧ୍ୟ ସାଧାରଣ ଲୋକଙ୍କ ପାଖେ ରହିବ । ସାଂସ୍କୃତିକ ପ୍ରାଣକେନ୍ଦ୍ର ସହର କଟକ ର ସେବା କରିବାକୁ ସୁଯୋଗ ମିଳିଥିବାରୁ ବହୁତ ଖୁସିଅଛନ୍ତି ବୋଲି ଜଗମୋହନ ମୀନା କହିଛନ୍ତି ।