ଭୁବନେଶ୍ୱର: ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ମିଶନ ଶକ୍ତି ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ଲକ୍ଷପତି ଦିଦି ସମ୍ମିଳନୀ ଆୟୋଜିତ ହୋଇଛି । ପ୍ରାୟ ୧୭ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ଗଢି ଆଜି ଓଡ଼ିଶା ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୯୮ ପ୍ରତିଶତ ଲକ୍ଷପତି ଦିଦି ସୃଷ୍ଟି କରି ନୟାଗଡ଼ ପ୍ରଥମ ସ୍ଥାନ ଅଧିକାର କରିଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲକ୍ଷପତି ଦିଦି ସମ୍ମିଳନୀରେ ଶ୍ରେଷ୍ଠ ଲକ୍ଷପତି ଦିଦି ଭାବରେ ଦେବଗଡ ଜିଲ୍ଲାର ଶକୁନ୍ତଳା ଧଳ, ଗଜପତି ଜିଲ୍ଲାର ସୁଲମୀ ଦଳବେହେରା ଏବଂ କେନ୍ଦ୍ରାପଡା ଜିଲ୍ଲାର ମମତା ନାଥ ଶର୍ମାଙ୍କୁ ପୁରସ୍କୃତ କରିଛନ୍ତି । ସେହିପରି ଜିଲ୍ଲାରେ ୯୮ ପ୍ରତିଶତ ଲକ୍ଷପତି ଦିଦି ସୃଷ୍ଟି କରି ପ୍ରଥମ ସ୍ଥାନ ଅଧିକାର କରିଥିବା ନୟାଗଡ ଏବଂ ୯୭ ପ୍ରତିଶତ ଲକ୍ଷପତି ଦିଦି ସୃଷ୍ଟି କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କେନ୍ଦ୍ରାପଡା, କଟକ, ଭଦ୍ରକ, ଜଗତସିଂହପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି । ଏହା ସହିତ ରାଜ୍ୟ ସ୍ତରରେ ଶ୍ରେଷ୍ଠ ଅଧିକାରୀ ଭାବେ ଓଡ଼ିଶା ଜୀବିକା ମିଶନରେ ଭୁବନେଶ୍ୱରର ଦେବୀ ପ୍ରସାଦ ନାୟକଙ୍କୁ ପୁରସ୍କୃତ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଲକ୍ଷପତି ଦିଦି ଓ ସରକାରୀ ଅଧିକାରୀମାନେ ଯୋଗଦେଇଛନ୍ତି ।