କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଷିପୂରା ଥାନା ଅନ୍ତର୍ଗତ ରାଧିକାଦେଇପୁରରେ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାପ କାମୁଡ଼ାରେ ମାଆ ଓ ପୁଅଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ମୃତକ ହେଲେ ଜେମା ଦେଇ ମୁଣ୍ଡା ଏବଂ ତାଙ୍କ ୯ ବର୍ଷର ପୁଅ ଗଣେଶ ମୁଣ୍ଡା ।
ଗତକାଲି ଶୋଇଥିବାବେଳେ ବିଳମ୍ବିତ ରାତିରେ ସାପ କାମୁଡ଼ିଥିବା ସନ୍ଦେହ କରାଯାଉଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେଶୁରାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଆନନ୍ଦପୁର ମେଡ଼ିକାଲକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । କିନ୍ତୁ ଦୁଃଖର ବିଷୟ ଉକ୍ତ ସମୟରେ ଆମ୍ବୁଲାନ୍ସ ନ ମିଳିବାରୁ ଏକ ଘରୋଇ ଗାଡ଼ିରେ ଆନନ୍ଦପୁର ନିଆଯାଇଥିଲା । ସେଠାରେ ଡାକ୍ତର ପୁଅକୁ ମୃତ ଘୋଷଣା କରିଥିବାବେଳେ ମାଆକୁ କଟକ ଏସସିବିକୁ ସ୍ଥାନାନ୍ତର ପାଇଁ କହିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମାଆ ମଧ୍ୟ ପ୍ରାଣ ହରାଇଥିଲେ ।