ଭୁବନେଶ୍ୱର: ସ୍ଵାଧୀନତା କେବଳ ବେଲୁନ ଉଡେଇବା ପାଇଁ ନୁହେଁ ଏହା ଆମ ଇତିହାସ, ତ୍ୟାଗ, ବଳିଦାନକୁ ମନେ ପକେଇବାର ବେଳ । ଯଦି ଆମେ ୧୪ ଅଗଷ୍ଟକୁ ମନେ ନ ପକାଇବା ତାହାହେଲେ ୧୫ ଅଗଷ୍ଟ ମଧ୍ୟ ସୁରକ୍ଷିତ ରହିନପାରେ ବୋଲି ଏଭଳି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗୁରୁବାର ରାଜଭବନରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ ହୋଇଯାଇଛି । ଏଥିରେ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି କୌଣସି ଦେଶ ନିଜର ଇତିହାସ ବିନା ଚାଲି ପାରେନି । ଅଗଷ୍ଟ ୧୪ର ସ୍ମୃତିକୁ ଯୁବପୀଢ଼ିଙ୍କ ପାଖରେ ପହଁଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଘୋଷଣା କରିଛନ୍ତି । ୧୯୪୭ ଅଗଷ୍ଟ ୧୪ ତାରିଖରେ ରାଜନୈତିକ ଓ କୂଟନୈତିକ ସ୍ତରରେ ଯାହା ଘଟିଲା ତାହାର ପରିଣାମ ଏବେବି ଆମେ ଭୋଗୁଛି ।
ଶ୍ରୀଯୁକ୍ତ ପ୍ରଧାନ ଆହୁରି କହିଛନ୍ତି, ସ୍ଵାଧୀନତା କେବଳ ବେଲୁନ ଉଡେଇବା ପାଇଁ ନୁହେଁ ଏହା ଆମ ଇତିହାସ, ତ୍ୟାଗ, ବଳିଦାନକୁ ମନେ ପକେଇବାର ବେଳ । ଏକ ଅନୁଭବି ସମାଜ ନିଜର ଏହି ଇତିହାସକୁ ମନେ ପକେଇଲେ ଆଗାମୀ ଦିନରେ ଏମିତି ଅଘଟଣ ହୋଇ ନପାରେ । ପାକିସ୍ଥାନ ଦୁଇଖଣ୍ଡ ହେବାର ଘଟଣା ଆମ ଓଡ଼ିଶାରେ ମଧ୍ୟ ଅଛି । ଯେଉଁମାନେ ପାକିସ୍ତାନରୁ ବିତାଡିତ ହୋଇ ଆସିଥିଲେ ସେଇମାନଙ୍କୁ ଓଡ଼ିଶା ସ୍ଥାନ ଦେଇଥିଲା । ବିଗତ ୭୯ ବର୍ଷର ଭାରତ ଜୀବନ୍ତ ଇତିହାସର ଅନୁଭବ । ସେହିପରି ୧୯୭୧ ମସିହାରେ ମଧ୍ୟ ଦେଶ ଆଉ ଏକ ବିଭାଜନ ଦେଖିଥିଲା । ସେଇମାନଙ୍କୁ ମଧ୍ୟ ଓଡ଼ିଶା ସ୍ଥାନ ଦେଇଥିଲା । ସେମାନେ ଏବେ ଓଡ଼ିଆ ଏବଂ ଭାରତୀୟ । ସେହିପରି ସିଏଏ ମାଧ୍ୟମରେ ମୋଦୀ ସରକାର ମୂଳ ଭାରତୀୟମାନଙ୍କୁ ତାଙ୍କର ନାଗରିକତ୍ୱ ପ୍ରଦାନ କରିଛନ୍ତି ।
ଏହି ଅବସରରେ ନିଜର ପାକିସ୍ଥାନ ଗସ୍ତର ଅନୁଭବ ବଖାଣିଥିରେ କେନ୍ଦ୍ରମନ୍ତ୍ରୀ । ଉର୍ଦ୍ଦୁ ଭାଷା ଭାରତୀୟ ଭାଷା ଅଟେ, ଯାହାକୁ ପାକିସ୍ଥାନରେ କୁହାଯାଉଛି । ଭାରତୀୟତାର ଛାପ ଆଜି ବି ପାକିସ୍ଥାନ ବଙ୍ଗଳାଦେଶରେ ଦେଖିବାକୁ ମିଳୁଛି । କେଉଁ କାରଣରୁ ଦେଶ ବିଭାଜନ ହେଲା ଏହା ଆମକୁ ପଢିବାକୁ ପଡ଼ିବ ବୋଲି କହିଛନ୍ତି ଶ୍ରୀଯୁକ୍ତ ପ୍ରଧାନ ।