ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ପରେ ଏବେ ଜମ୍ମ-କାଶ୍ମୀରରେ ତାଣ୍ଡବ ରଚିଛି ବର୍ଷା । କିସ୍ତୱାଡ଼ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ଅନେକ ଲୋକ ନିଖୋଜ ଥିବା ଖବର ମିଳିଛି ।
ଜିଲ୍ଲାର ପାଡ଼ର ଅଞ୍ଚଳର ଚଶୌଟୀ ଗ୍ରାମରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି । ଫଳରେ ଅନେକ ଲୋକ ନିଖୋଜ ହୋଇଛନ୍ତି । ଖବର ଲେଖାଯିବା ବେଳକୁ 10ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏଥିରେ ଅନେକ ଶ୍ରଦ୍ଧାଳୁ ଥିବା ମଧ୍ୟ କୁହାଯାଉଛି । ବର୍ତ୍ତମାନ ମଚୈଲ ମାତାଙ୍କ ଯାତ୍ରା ଆରମ୍ଭ ହୋଇଛି । ଯେଉଁଠି ବର୍ଷା ହୋଇଛି, ସେଠାରେ ଅନେକ ଶ୍ରଦ୍ଧାଳୁ ଶିବିରରେ ଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।
ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନ ପାଇଁ ତମ୍ବୁ ଟଣା ଯାଇଥିଲା । ଭୀଷଣ ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟା ଜଳରେ ଉକ୍ତ ତମ୍ବୁ ଭାସିଯାଇଛି । ଏପରିକି ରାସ୍ତା ଉପରେ ଥିବା ଗାଡ଼ି ପ୍ରଖର ସ୍ରୋତରେ ମଧ୍ୟ ଭାସିଯାଇଛି । ଉକ୍ତ ସ୍ଥାନରେ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ବୋଲି ସ୍ଥାନୀୟ ବିଧାୟକ କହିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂହ କିସ୍ତୱାଡ଼ ଡେପୁଟି କମିଶନର ପଙ୍କଜ କୁମାରଙ୍କ ସହିତ ଆଲୋଚନା କରି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉଦ୍ଧାର କାର୍ଯ୍ୟ ଏତେ ସହଜ ହେଉ ନାହିଁ । ଅନେକ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ୁଛି । ଯେଉଁ ଗାଁରେ ବର୍ଷା ହୋଇଛି, ତାହା ବହୁତ ବଡ଼ ଅଟେ ଏବଂ ସେଠାରେ ଜନସଂଖ୍ୟା ମଧ୍ୟ ବହୁତ ଅଧିକ । ଖାଲି ସେତିକି ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ ଥିଲା । ଉକ୍ତ ଗ୍ରାମକୁ ଯିବାକୁ ଥିବା ସମସ୍ତ ରାସ୍ତା ଧୋଇଯାଇଥିବାରୁ ସେଠାରେ ପହଁଚିବା କଷ୍ଟସାଧ୍ୟ ହୋଇଛି ।
ଗତ ୧୫ ଦିନ ଧରି ପଞ୍ଛ, ରଜୌରୀ ଏବଂ ଡୋଡାରେ ପ୍ରବଳ ବର୍ଷା ହେଉଥିବାରୁ ମଚୈଲ ମାତା ମନ୍ଦିରକୁ ଯିବା ମାର୍ଗ କ୍ଷତିଗ୍ରସ୍ତ ହୋଇଛି । ପ୍ରତିବର୍ଷ ଶ୍ରାବଣ ମାସରେ ମଚୈଲ ମାତାଙ୍କ ଯାତ୍ରା ହୋଇଥାଏ । ଏହା ଅମର ନାଥ ଭଳି ଅଟେ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାତାଙ୍କ ଦର୍ଶନ ପାଇଁ ଆସିଥାଆନ୍ତି ।