ମୋହନା: ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀକୁ ଗାଁ ମଝିରେ ବାନ୍ଧିଲା ସ୍ତ୍ରୀ । ଏପରି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲା ଅଡବା ଥାନା ଗରଡ଼ମା ଗାଁରେ ଘଟିଛି । ପୋଲିସ ଉକ୍ତ ଯୁବକଙ୍କୁ ଉଦ୍ଧାର କରିଛି ।
ସୂଚନା ଅନୁସାରେ, ବୁଡ଼ିଶିଳ ଗାଁର ଜଳନ୍ତ ବଳିଆରସିଂ ଗରଡ଼ମା ଗାଁରେ ବିବାହ କରିଥିଲେ । ହେଲେ ପରିବାର ମଧ୍ୟରେ ସର୍ବଦା କୌଣସି କଥାକୁ ନେଇ ଝଗଡା ହେଉଥିଲା । ଏନେଇ ସ୍ତ୍ରୀ ବାପଘରେ ରହୁଥିଲେ । ଏହି ମାମଲା କୋର୍ଟରେ ମଧ୍ୟ ବିଚାରାଧୀନ ରହିଛି ।
ବୁଧବାର ଜଳନ୍ତ ବଳିଆରସିଂ ରାସନ ଚାଉଳ ନେବାକୁ ଗରଡ଼ମା ଗାଁକୁ ଆସିଥିଲେ । ଏହି ସମୟରେ ସ୍ତ୍ରୀ ସହ ତାଙ୍କ ଭାଇ ଓ ଜଣେ ସହଯୋଗୀ ତାଙ୍କୁ ଗାଁ ମଝିରେ ଥିବା ଏକ ଖୁଣ୍ଟରେ ବାନ୍ଧି ରଖିଥିଲେ । ରାତିତମାମ ଗାଁ ଦାଣ୍ଡରେ ବାନ୍ଧି ରଖିବା ସହିତ ମାଡ଼ ମଧ୍ୟ ମାରିଥିଲେ । ଏନେଇ ଆଜି (ଗୁରୁବାର) ଅଡବା ଥାନା ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ । ପୋଲିସ ଘଟଣାବଳୀ ସମ୍ପର୍କରେ ଜାଣିବା ପାଇଁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ସମେତ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରୁଛି ।