ମାଲକାନଗିରି: ପୁଣି ମାଲକାନଗିରିରେ ଲଜ୍ଜ୍ୟା । ମାଲକାନଗିରି ସଦର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ସଦରରୁ ଜୟପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବିଜା ଘାଟିରୁ ନାବାଳିକା ଜଣଙ୍କୁ ଉଦ୍ଧାର କରାଯାଇଛି । ଏନେଇ ନାବାଳିକାଙ୍କ ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସଦର ଥାନା ପୋଲିସ ।
ସୂଚନା ଅନୁସାରେ, ନାବାଳିକା ଜଣଙ୍କ ସଦର ଥାନା ଅଞ୍ଚଳର ଥିବା ତାଙ୍କର ଜଣେ ସାଙ୍ଗଙ୍କ ଜନ୍ମ ଦିନ ପାଳନ କରିବାକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ହେଲେ କୌଣସି ପତ୍ତା ମିଳିନଥିଲା । ପରେ ବିଳମ୍ବିତ ରାତିରେ ବିଜାଘାଟିଠାରେ ଜଣେ ଟ୍ରକ ଚାଳକ ଓ ନାବାଳିକାଙ୍କୁ ସନ୍ଦେହଜନକ ସ୍ଥିତିରେ ଦେଖି ସ୍ଥାନୀୟଲୋକେ ମାଲକାନଗିରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରୁ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ଡାକ୍ତରୀ ପରୀକ୍ଷା ପରେ ଶକ୍ତି ସଦନରେ ପୀଡ଼ିତାକୁ ରଖାଯାଇଛି । ତେବେ ପରିବାର ପକ୍ଷରୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏନେଇ ମାଲକାନଗିରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।