ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୪ରେ ଉତ୍ତର ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ର ଉପକୂଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଫଳରେ ଆସନ୍ତାକାଲିଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲାରେ ଅରେଞ୍ଜ ଓ ୟେଲୋ ଆଲର୍ଟ ହୋଇଛି । ଏହାର ପ୍ରଭାବରେ ୨୮ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ମାଲକାନାଗିରି, କୋରାପୁଟ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଜପତି, କନ୍ଧମାଳ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ମୟୁରଭଞ୍ଜରେ ମଧ୍ୟ ବର୍ଷା ହେବ। ବର୍ଷା ସହ ବଜ୍ରପାତ ଓ ଘଣ୍ଟା ପ୍ରତି ୩୦କି.ମି. ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତାକାଲି ପାଇଁ କଟକ ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧରେ ପ୍ରବଳ ବର୍ଷା ହୋଇପାରେ ।
ସେହିପରି ୨୪ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୨୫ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ଓ କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହାସହ ୨୬ ତାରିଖରେ ମଧ୍ୟ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।