ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଆସିବା ପରେ ଗତ ୯ ମାସ ଭିତରେ ୧୮ ହଜାର ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି । ଏଥିସହ ଆଗକୁ ଆହୁରି ୧୦ ହଜାର ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି । ପିଅନ ଓ କିରାଣୀଙ୍କର ଆବଶ୍ୟକତା ଦେଖି ନିଯୁକ୍ତି ଦିଆଯିବ । ଏନେଇ ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏବେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜ ଗୁଡିକରେ ୭୭,୭୨୨ ଛାତ୍ରୀ ପଢୁଛନ୍ତି । ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଓ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ବ୍ୟତୀତ ୧୫ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜରେ ୨୦୫୪୦ ଛାତ୍ରୀଙ୍କ ପାଇଁ ହଷ୍ଟେଲ୍ ବ୍ୟବସ୍ଥା ଅଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସ୍ ଛାତ୍ରୀ ହଷ୍ଟେଲ୍ ପାଇଁ ୯ କୋଟି ୬୦ ଲକ୍ଷ ୮ ହଜାର ୪୦୦ଟଙ୍କା, ଉତ୍କଳ ବିଶ୍ଵବିଦ୍ୟାଳୟ ଲେଡିଜ୍ ହଷ୍ଟେଲ୍ ନବୀକରଣ ପାଇଁ ୫ କୋଟି ୬ ଲକ୍ଷ ୯୪ ହଜାର, ରମାଦେବୀ ବିଶ୍ୱବିଦ୍ୟାଳୟ ଅନନ୍ୟା ହଷ୍ଟେଲ୍ ପାଇଁ ୧ କୋଟି ୪୬ ଲକ୍ଷ ୩ ହଜାର ୫୦୦, ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଝଉ, ଝଞ ଲେଡିଜ୍ ହଷ୍ଟେଲ୍ର ୩୦୦ ଶଯ୍ୟା ପାଇଁ ୮ କୋଟି ୩୬ ଲକ୍ଷ ୬୪ ହଜାର ୪୦୦, ଧରଣୀଧର ବିଶ୍ୱବିଦ୍ୟାଳୟର ୩୦୦ ଶଯ୍ୟା ପାଇଁ ୧୧ କୋଟି, ଖଲ୍ଲିକୋଟ ୟୁନିଟାରୀ ପିଜି ହଷ୍ଟେଲ୍ ମରାମତି ପାଇଁ ୩୧ ଲକ୍ଷ ୮୩ ହଜାର ୫ଶହ ଟଙ୍କାର ବ୍ୟବସ୍ଥା କରାଯାଇଛି ।
ଅଧିକ ପଢନ୍ତୁ: ଖୁବଶୀଘ୍ର ରାଜ୍ୟରେ ଖୋଲିବ ବନ୍ଦ ହୋଇଥିବା ପ୍ରାଥମିକ ବିଦ୍ୟାଳୟ; ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ