ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଖୋଲିବ ବନ୍ଦ ହୋଇଥିବା ପ୍ରାଥମିକ ବିଦ୍ୟାଳୟ । ସିଡ୍ୟୁଲ ଏରିଆରେ(ସଂରକ୍ଷିତ ଅଞ୍ଚଳ)ରେ ସର୍ବନିମ୍ନ ୪୦ ପିଲା ଥିଲେ ବନ୍ଦ ହାଇଥିବା ସ୍କୁଲ ଖୋଲିବ । କାରଣ ୩୦ ପିଲା ଥିଲେ ସ୍କୁଲ ଖୋଲିବା ନେଇ ବ୍ୟବସ୍ଥା ରହିଛି । ସେହିପରି ନନ୍ ସିଡ୍ୟୁଲ ଏରିଆରେ (ଅଣ ସଂରକ୍ଷିତ ଅଞ୍ଚଳ) ସର୍ବନିମ୍ନ ୨୦ ପିଲା ଥିଲେ ବି ସ୍କୁଲ ଖୋଲିପାରିବ । ଆଜି (ଶୁକ୍ରବାର) ଏନେଇ ଗୃହରେ ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଅତାବିରା ବିଧାୟକ ନିହାର ମହାନନ୍ଦଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ତରବରିଆ ଭାବରେ, ଠିକ୍ ଭାବେ ବିଚାର ନକରି ଛାତ୍ରଛାତ୍ରୀ ସଂଖ୍ୟା କମ ଥିବା ସମୁଦାୟ ୫୬୩୨ଟି ସ୍କୁଲ ମିଶ୍ରଣ କରିଛନ୍ତି । ୧୦୦ ମିଟର ବ୍ୟବଧାନରେ ଥିବା ୨ ହଜାର ୧୫୨ ସାଟେଲାଇଟ୍ ସ୍କୁଲକୁ ମିଶ୍ରଣ କରାଯାଇଛି ।
ତରବରିଆ ଭାବେ ପୂର୍ବ ସରକାର ଏପରି ନିଷ୍ପତ୍ତି ନେବା ଫଳରେ ଅନେକ ସ୍କୁଲ୍ ବନ୍ଦ ହୋଇଯାଇଥିଲା । ବନ୍ଦ ହୋଇଥିବା ସ୍କୁଲର ଛୋଟ ଛୋଟ ପିଲାମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କେତେକ ସ୍ଥାନରେ ନିଜ ଗାଁ ଛାଡି ଅନ୍ୟ ଗାଁକୁ ଏପରିକି ନଦୀନାଳ ପାର ହୋଇ ପିଲାଙ୍କୁ ସ୍କୁଲ ଯିବାକୁ ପଡିଥିଲା । ବିଭିନ୍ନ ସ୍ଥାନରୁ ଏ ସଂପର୍କରେ ସରକାରଙ୍କ ପାଖକୁ ଅଭିଯୋଗ ମଧ୍ୟ ଆସିଥିଲା । କିନ୍ତୁ ପୂର୍ବ ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ବର୍ତ୍ତମାନର ସରକାର ଏହାକୁ ବିଚାର କରି ନୀତିଗତ ଭାବେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।