ଭୁବନେଶ୍ୱର: ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇଛି। ଯାହାପରେ ଓଡ଼ିଶା ସରକାର ପ୍ରଥମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ନୂଆ ବୟସ ସୀମା ସ୍ଥିର କରିଛନ୍ତି। ନୂଆ ବୟସ ମାନଦଣ୍ଡ ଅନୁଯାୟୀ,ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଜଣେ ପିଲାକୁ ୬ ବର୍ଷ କିମ୍ବା ତା'ଠାରୁ ଅଧିକ ହେବା ଜରୁରୀ । ଛାତ୍ରଛାତ୍ରୀଙ୍କ ଉତ୍କୃଷ୍ଟ ଶୈକ୍ଷିକ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ନେଇ ଏହି ନିଷ୍ପତ୍ତି ନିଆଯାଇଛି ।
ଛାତ୍ରଛାତ୍ରୀଙ୍କର ସାମଗ୍ରିକ ଶୈକ୍ଷିକ ବିକାଶ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଶିକ୍ଷାବିତ ଓ ବିଶେଷଜ୍ଞଙ୍କ ମତାମତ ନେଇ ପିଲାଙ୍କ ନାମଲେଖା ବୟସସୀମାକୁ ୬ ବର୍ଷରୁ ଅଧିକ ରଖାଯାଇଛି । ସେପ୍ଟେମ୍ବର ମାସ ୧ ତାରିଖ ସୁଦ୍ଧା ପିଲାକୁ ୬ ବର୍ଷ ହୋଇଥିଲେ ସେ ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ । ରାଜ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦କୁ ୨୦୨୫ -୨୬ ଶିକ୍ଷାବର୍ଷଠାରୁ ପ୍ରଚଳନ ପାଇଁ ନିଷ୍ପତ୍ତି ନିଆଯାଇଛି । ଛଅ ବର୍ଷ ବୟସ ପୂରଣ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ କହିଛି।