ପୁରୀ: ଘୋଷଯାତ୍ରାର ଆଜି ତୃତୀୟ ଦିବସରେ ବବିବାର ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିରାଜିଲେ ଚତୁର୍ଦ୍ଧା ମୂରତି । ମହାବାହୁ ତିନି ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଆଜି ଜନ୍ମବେଦିରେ ବିରାଜମାନ କରିଛନ୍ତି। କାଲି (ସୋମବାର) ଠାରୁ ଆସନ୍ତା ନବମୀ ପର୍ୟ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଆଡ଼ପ ମଣ୍ଡପରୁ ଦର୍ଶନ ଦେବେ। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରେ ଶ୍ରୀବିଗ୍ରହଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାଧୂପ ପରେ ଗୋଟି ପହଣ୍ଡିରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ବଡ ଠାକୁର ଜଗନ୍ନାଥ ଜନ୍ମବେଦୀକୁ ଯାଇଛନ୍ତି।
ରତ୍ନବେଦୀରୁ ଜନ୍ମବେଦୀରେ ପହଞ୍ଚିଛନ୍ତି ଚତୁର୍ଦ୍ଧା ମୂରତୀ । ବବିବାର ରଥ ଉପରେ ହିଁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମଙ୍ଗଳଆଳତୀ, ମଇଲମ, ତଡ଼ପ ଲାଗି, ଅବକାଶ, ଗୋପାଳ ବଲ୍ଲଭ ଭୋଗ ପରେ ସକାଳଧୂପ, ଭୋଗମଣ୍ଡପ ଓ ମଧ୍ୟାହ୍ନ ଧୂପ ସଂପନ୍ନ ହୋଇଥିଲା। ସନ୍ଧ୍ୟାଆଳତୀ, ପୁଷ୍ପାଞ୍ଜଳି ଓ ଡୋରଲାଗି ପରେ ଚାରମାଳ ବନ୍ଧାଯାଇ ଅପରାହ୍ନରେ ପହଣ୍ଡି ଆରମ୍ଭ ହୋଇଥିଲା।
ପ୍ରଥମେ ବଳଭଦ୍ର , ଏହା ପରେ ଭଉଣୀ ସୁଭଦ୍ରା ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଫେରିଥିଲେ। ଶେଷରେ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଟାହିଆ ହଲାଇ ପହଣ୍ଡି ବିଜେ କରିଥିଲେ ମହାବାହୁ। ଜଗନ୍ନାଥ ଧ୍ଵନୀରେ ଉଚ୍ଛୁଳି ଉଠିଥିଲା ଶରଧାବାଲି ଓ ମାଉସୀ ମା ମନ୍ଦିର। ଶ୍ରୀଜିଉମାନେ ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ବେଳେ ପରବର୍ତ୍ତୀ ନୀତି ଆରମ୍ଭ କରିବେ। ମହାପ୍ରଭୁ ଆଜି ମିଠା ଦହି ଖାଇବେ। ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ।
ଆଡ଼ପ ମଣ୍ଡପରେ ଶ୍ରୀଜିଉ ପହଞ୍ଚିବା ପରେ ଦହି ପଖାଳ ଭୋଗ, ବଡ଼ସିଂହାର ବେଶ ଓ ରାତ୍ର ପହୁଡ ହେବ। ଆସନ୍ତାକାଲି ଠାରୁ ଆଡ଼ପ ଅଭଡ଼ା ବାହାରିବ। ଗୁଣ୍ଡିଚା ମନ୍ଦିର ଆଡ଼ପ ଅଭଡ଼ା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି।