ବାଲେଶ୍ୱର : ବିପଦ ସଙ୍କେତ ଅତିକ୍ରମ କରି ବଢୁଛି ଜଳକା ନଦୀର ଜଳସ୍ତର। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଏପରିକି ପରିସ୍ଥିତି ଉପୁଜୁଛି । ତେବେ ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୯୦ ମିଟରରେ ପ୍ରବାହିତ ହେଉଛି। ବାଲେଶ୍ବର ଜିଲ୍ଲା ସମେତ ନଦୀର ଉପର ମୁଣ୍ଡରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର,ମୋରଡ଼ା, ଶୁଳିଆପଦା,ଚିତ୍ରଡ଼ା ଆଦି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି।
ଗତକାଲି ରାତିରେ ୫ଟି ସ୍ଥାନରେ ଫାଟ ସୃଷ୍ଟି ହୋଇ ଗେଟ ଦେଇ ବନ୍ଯା ପାଣି ନିଷ୍କାସିତ ହେଉଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ଭୟଭୀତ ନଦୀ କୂଳିଆ ଅଞ୍ଚଳର ଲୋକେ। ବସ୍ତା ବ୍ଲକର ଶହ ଶହ ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିଛି। ଫଳରେ ଧାନ ତଳି ସବୁ ପଚିଯିବା ଆଶଙ୍କା ରହିଛି। ଏହାସହ ମଥାନୀ ଚଟାଣ ଉପରେ ୪ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ କରୁଛି। ଏପରିକି ବସ୍ତା ଥାନା ଓ ଏସଡିପିଓ ଅଫିସରେ ମଧ୍ୟ ୩ ଫୁଟର ବନ୍ୟା ପାଣି ପ୍ରଭାବିତ ହେଉଛି। ଅନେକ ଗାଁରେ ମଧ୍ୟ ବନ୍ୟା ପାଣି ପ୍ରବେଶ କରିବା ସହ ରାସ୍ତା ଉପରେ ବନ୍ଯା ପାଣି ପ୍ରବାହିତ ହେଉଥିବାରୁ ଲୋକେ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।