ଭୁବନେଶ୍ୱର: ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି । ଏନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, " ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକାରେ ଜଳସ୍ତର ବଢିଛି । ଫଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ରାଜଘାଟ ନିକଟରେ ସୁରର୍ଣ୍ଣରେଖା ବିପଦ ସଙ୍କେତ ଉପରେ ରହିଛି । ତଳିଆ ଅଞ୍ଚଳର ବିଭିନ୍ନ ସ୍ଥାନ ଜଳମଗ୍ନ ରହିଛି । ଯାହା ପ୍ରଭାବରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବନ୍ୟା ସ୍ଥିତିର ତଦାରଖ ପାଇଁ ଜିଲ୍ଲା ପ୍ରଶାସନକୁ ସତର୍କ ସୂଚନା ଦିଆଯାଇଛି । ଜିଲ୍ଲା ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରୁଛନ୍ତି । ବୁଢ଼ାବଳଙ୍ଗ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ରହିଛି" । ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି ।
ଯଦି ଉପରମୁଣ୍ଡରେ ବର୍ଷାର ପରିମାଣ କମିବ ତେବେ ବଡ଼ ବନ୍ୟାର ଆଶଙ୍କା ନାହିଁ । ଯଦି ନ କମିବ ତେବେ ଉତ୍ତର ଓଡ଼ିଶାର ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଇବ । ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ବନ୍ଧ ଭାଙ୍ଗିବା କି ଘଳିଆ ହେବାର ଖବର ନାହିଁ ବୋଲି ସେ କହିଛନ୍ତି । ଯଦି ବନ୍ୟା ହୁଏ ତେବେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।