ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ବନ୍ୟା ପରିସ୍ଥିତି ଆଶଙ୍କା ବଢ଼ିଯାଇଛି । ସୋମବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏସ୍ଆରସିଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ରେଡ୍ ଆଲର୍ଟରେ ରଖାଯାଇଛି । ଧିରେ ଧିରେ ପାଣି କମୁଥିବାବେଳେ ସ୍ଥିତିରେ ସୁଧାର ଆସୁଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ।
ତେବେ ପୁଣି ବର୍ଷା ହେଲା ପାଣି ବଢ଼ିବାର ଆଶଙ୍କା ରହିଛି । ଉତ୍ତର ଓଡ଼ିଶାରେ ବର୍ଷା ଏବଂ ଝାଡ଼ଖଣ୍ଡରୁ ଡ୍ୟାମ ପାଣି ଆସୁଥିବାରୁ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଚାନ୍ଦିଲି ଡ୍ୟାମ୍ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବାରୁ ଅଦିନିଆ ବର୍ଷାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଝାଡ଼ଖଣ୍ଡ ସରକାରଙ୍କ ସହିତ ଓଡ଼ିଶା ସରକାର ଯୋଗାଯୋଗରେ ରହିଛନ୍ତି । ଡ୍ୟାମ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ନଦୀରେ ଜଳସ୍ତର କମିବ ।
ସେପଟେ ବୁଢ଼ାବଳଙ୍କ ଏବଂ ଜଳକାରେ ଜଳସ୍ତର କମିଥିବାବେଳେ ସୁବର୍ଣ୍ଣରେଖାରେ ଜଳ ସ୍ତର ଧିରେ ଧିରେ ବଢ଼ୁଛି । ଭୋଗରାଇ ଏବଂ ଜଳେଶ୍ୱରରେ ବନ୍ୟା ସ୍ଥିତିରେ ସୁଧାର ଆସିଛି । ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି । କଟକରୁ ଦୁଇଟି ଓଡ୍ରାଫ ଟିମ୍ ବାଲେଶ୍ୱର ଗସ୍ତ କରିଛନ୍ତି । ସେହିପରି ବନ୍ୟା ଯୋଗୁଁ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ଯେଉଁମାନଙ୍କର କ୍ଷତି ହୋଇଛି ସମୀକ୍ଷା କରି କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।